ପୁରୀ: ଆଡପ ମଣ୍ଡପରେ ଶ୍ରୀଜିଉ । ରତ୍ନବେଦୀ ଛାଡି ଜନ୍ମବେଦୀରେ ବିରାଜିଛନ୍ତି ମହାପ୍ରଭୁ । ଗତକାଲି ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂରତି ଆଡପ ମଣ୍ଡପରେ ବିଜେ କରିଛନ୍ତି । ଆଉ ଆଜି ଆଡପ ମଣ୍ଡପରେ କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଏଥିପାଇଁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବାରିକେଡ ଦେଇ ଭକ୍ତମାନେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରି ନାକଚଣା ଦ୍ୱାର ପଟେ ପ୍ରସ୍ଥାନ କରିବେ । ବିଶ୍ୱାସ ରହିଛି ମହାପ୍ରଭୁଙ୍କୁ ଜନ୍ମବେଦୀରେ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ।
ଆଜି ସକାଳୁ ମହାପ୍ରଭୁଙ୍କ ସେବାପୂଜା ଓ ନୀତିକାନ୍ତି ଆରମ୍ଭ ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଶାଳାରେ ଆଡ଼ପ ଅବଢ଼ା ପ୍ରସ୍ତୁତ କରାଯାଇ ଶ୍ରୀଜୀଉଙ୍କୁ ଅର୍ପଣ କରାଯିବ । ଭକ୍ତମାନେ ସେଠାରେ ଆଡ଼ପ ଅବଢ଼ା ତଥା ମହାପ୍ରସାଦ ପାଇ ପାରିବେ। ଜୁଲାଇ ୪ ତାରିଖ ରାତି ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଭକ୍ତଙ୍କୁ ମହାପ୍ରଭୁ ସେଠାରେ ଆଡପ ଦର୍ଶନ ଦେବେ। ବୁଧବାର ଦର୍ଶନ ଓ ପୂଜା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ କରିଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ଆସନ୍ତାକାଲି ସକାଳ ୫ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ସାଢ଼େ ୫ଟାରେ ଭିତରଶୋଧ ଓ ୬ଟାରେ ମଙ୍ଗଳଆଳତି ନୀତି ସଂପନ୍ନ ହେବ। ଅବକାଶ ପୂଜା ଶେଷ ପରେ ସାଢ଼େ ୭ଟାରୁ ସାଢ଼େ ୮ଟା ସାହାଣମେଲା ଦର୍ଶନ ହେବ।
ସକାଳ ୯ଟାରେ ରୋଷହୋମ ସହ ଅନ୍ୟାନ୍ୟ ନୀତି ବଢ଼ିବ। ପୂର୍ବାହ୍ଣ ୧୦ଟାରେ ଗୋପାଳବଲ୍ଲଭ, ପୂର୍ବାହ୍ଣ ସାଢ଼େ ୧୦ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ସକାଳଧୂପ, ମଧ୍ୟାହ୍ନ ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ପ୍ରଥମ ଭୋଗମଣ୍ଡପ, ଅପରାହ୍ଣ ୪ଟାରୁ ସାଢ଼େ ୫ଟା ମଧ୍ୟାହ୍ନ ଧୂପ, ସନ୍ଧ୍ୟା ୫ରୁ ସାଢ଼େ ୬ଟା ଭିତରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବ। ପରେ ବନକଲାଗି ନୀତି ଅନୁଷ୍ଠିତ ହେବ।
ଜୁଲାଇ ୧ରେ ହେରାପଞ୍ଚମୀ ନୀତି
ଜୁଲାଇ୨ରେ ରଥ ଦକ୍ଷିଣମୋଡ଼
ଜୁଲାଇ୪ରେ ସନ୍ଧ୍ୟା ଦର୍ଶନ
ଜୁଲାଇ ୫ରେ ବାହୁଡ଼ାଯାତ୍ରା
ଜୁଲାଇ ୬ରେ ସୁନାବେଶ
ଜୁଲାଇ ୭ରେ ଅଧର ଓ ଗରୁଡ଼ ଶୟନ ନୀତି
ଜୁଲାଇ ୮ରେ ନୀଳାଦ୍ରି ବିଜେ ନୀତି