ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟେରା । ନୟାପଲ୍ଲୀ ତୋଟା ସାହିରେ ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ ।ମହିଳାଙ୍କୁ ବନ୍ଧୁକ ଦେଖାଇ ଏହି ଲୁଟ ହୋଇଥିବା ବେଳେ ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ଆଜି ସକାଳେ ନୟାପଲ୍ଲୀ ଗଡ଼ସାହିରେ ଜଣେ ମହିଳା ନିଜ ଘର ପାଖରେ ଫୁଲ ତୋଳୁଥିଲେ । ଏହି ସମୟରେ କିଛି ଲୁଟେରା ବାଇକରେ ଆସି ମହିଳାଙ୍କ ଘର ସମ୍ମୁଖରେ ରହିଥିଲେ । ଏହାପରେ ମହିଳାଙ୍କ ଦେହରେ ବନ୍ଧୁକ ଲଗାଇଥିଲେ । ଆଉ କହିଥିଲେ କି, ତୋ ପାଖେ ଯାହା ଅଛି, ସବୁ ଆମକୁ ଦେ , ନହେଲେ ଜୀବନରୁ ତୋତେ ମାରିଦେବୁ । ଏତିକି ଧମକ ଶୁଣି ମହିଳା ଜଣଙ୍କ ଗୁହାରୀ ହୋଇ କହିଲେ କି, ମୋ ପାଖେ ଯାହା ବି ଅଛି ସବୁ ଦେଇଦେଉଛି। ହେଲେ ମୋତେ ଛାଡ଼ିଦିଅ।ତାପରେ ବି ଲୁଟେରାମାନେ ଛାଡ଼ିଲେନି । ମହିଳା ଲଗାଇଥିବା କାନ ଫୁଲ ମଧ୍ୟ ନେଇଯାଇଥିଲେ । ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଏହାପରେ କମିଶନରେଟ୍ ପୋଲିସ ସମସ୍ତ ସିସି ଟିଭିକୁ ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।