ଆହ୍ଲାବାଦ: ଅଦାଲତର ନିୟମ ଉଲ୍ଲଂଘନ କରିବା ଆଇନଜୀବୀଙ୍କୁ ଭାରି ପଡ଼ିଛି । ସାର୍ଟ ବୋତାମ ଖୋଲିକି କାର୍ଯ୍ୟାଳୟକୁ ଆସିବାରୁ ଜରିମାନା ସହିତ ୬ ମାସର ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ବିଚାରପତି । ଏଭଳି ଅଜବ ଘଟଣା ଘଟିଛି ଆହ୍ଲାବାଦରେ ।
ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠର ବିଚାରପତି ବିବେକ ଚୌଧୁରୀ ଏବଂ ବିଚାରପତି ବି. ଆର୍. ସିଂହ ଆଇନଜୀବୀ ଅଶୋକ ପାଣ୍ଡେଙ୍କ ବିରୋଧରେ ଆସିଥିବା ଏକ ମାମଲାର ଶୁଣାଣି କରିଛନ୍ତି । ୨୦୨୧, ଅଗଷ୍ଟ ୧୮ରେ ଏକ ମାମଲାରେ କୋର୍ଟର ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଖଣ୍ଡପୀଠ ଆଇନଜୀବୀ ଅଶୋକ ପାଣ୍ଡେଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୨ ହଜାର ଟଙ୍କାର ଜରିମାନା ସହିତ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ଖଣ୍ଡପୀଠ । ଯଦି ନିର୍ଦ୍ଧାରିତ ଏକ ମାସ ମଧ୍ୟରେ ଜରିମାନା ପୈଠ ନ କରନ୍ତି ତେବେ ଅତିରିକ୍ତ ଏକ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି । ୪ ସପ୍ତାହ ମଧ୍ୟରେ ଲକ୍ଷ୍ନୌ କୋର୍ଟରେ ଆତ୍ମସମର୍ପଣ କରିବା ସହିତ ଜେଲ ଯାଇ ସଜା କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି 3 ବର୍ଷ ପର୍ଯ୍ୟନ୍ତ ଓକିଲାତି କରିବା ଉପରେ କାହିଁକି ପ୍ରତିବନ୍ଧକ ଲଗାଯିବ ନାହିଁ ବୋଲି କୋର୍ଟ ପଚାରିଛନ୍ତି, ଏଥିପାଇଁ ପାଣ୍ଡେଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଚି ।
୨୦୨୧, ଅଗଷ୍ଟ ୧୮ରେ ଆଇନଜୀବୀ ଅଶୋକ ପାଣ୍ଡେ କୋର୍ଟ ନିୟମ ଉଲ୍ଲଂଘନ କରିଥିବାନେଇ ଏକ ମାମଲା ରୁଜୁ ହୋଇଥିଲା । କୋର୍ଟ ନିଜ ଆଡ଼ୁ ଏହି ମାମଲା ରୁଜୁ କରିଥିଲେ । କୋର୍ଟ କାର୍ଯ୍ୟ ଚାଲୁଥିବାବେଳେ ସେ ବିନା ଓକିଲ ୟୁନିଫର୍ମରେ କାଠଗଡ଼ା ନିକଟକୁ ଆସିଥିଲେ, ଏବଂ ତାଙ୍କର ସାର୍ଟ ବୋତାମ ମଧ୍ୟ ଖୋଲା ରହିଥିଲା । ଏହାକୁ ବିଚାରପତି ବାରଣ କରିବାକୁ ସେ ବିଶୃଙ୍ଖଳିତ ଆଚରଣ ଦେଖାଇଥିଲେ । ବିଚାରପତିଙ୍କୁ ସେ ଗୁଣ୍ଡା ବୋଲି ମଧ୍ୟ କହିଥିଲେ । ତାଙ୍କର ଏଭଳି ଆଚରଣ ଦ୍ୱାରା ଅଦାଲତର ଗୌବର କ୍ଷୁର୍ଣ୍ଣ ହୋଇଥିଲା ବୋଲି ବିଚାରପତି କହିଛନ୍ତି ।
ଶୁଣାଣି ସମୟରେ କୋର୍ଟ ପାଣ୍ଡେଙ୍କୁ ତାଙ୍କ ଜବାବ ରଖିବାକୁ ବାରମ୍ବାର ସୁଯୋଗ ଦେଇଥିଲେ, କିନ୍ତୁ ସେ ଅଭିଯୋଗର କୌଣସି ଉତ୍ତର ଦେଇ ନଥିଲେ । କୋର୍ଟ କହିଛନ୍ତି ଯେ ପାଣ୍ଡେଙ୍କ ବିରୁଦ୍ଧରେ ଅନେକ ଅବମାନନା ମାମଲା ରୁଜୁ ହୋଇଛି ଏବଂ ଚାଲିଛି । ୨୦୧୭ ମସିହାରେ ଏକ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପାଣ୍ଡେଙ୍କୁ ଆହ୍ଲାବାଦ ହାଇକୋର୍ଟ ଏବଂ ଏହାର ଲକ୍ଷ୍ନୌ ବେଞ୍ଚର ଦୁଇ ବର୍ଷ ପାଇଁ ପ୍ରବେଶ କରିବାରୁ ବାରଣ କରାଯାଇଥିଲା । ଏସବୁ ପରେ ମଧ୍ୟ, ପାଣ୍ଡେଙ୍କ ଆଚରଣରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ସେ ତାଙ୍କ ଆଚରଣ ପାଇଁ ଅନୁତାପ ମଧ୍ୟ କରୁନାହାଁନ୍ତି ।