ବେଙ୍ଗାଲୁରୁ: ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ତତ୍ ସହିତ ୪୭ ଜଣଙ୍କ ଆହତ ହୋଇ ଚିକିତ୍ସାଧୀନ ଥିବା ନେଇ ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏ ନେଇ ସେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣା ଦୁଃଖ ପ୍ରକାଶ କରିବାକ ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, "ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ଦଳର ବିଜୟ ଉତ୍ସବ ସମୟରେ ଦଳାଚକଟାରେ ଅନେକ ଲୋକଙ୍କ ମୃତ୍ୟୁ ଏବଂ ଅନେକ ଗୁରୁତର ଆହତ ହେବାର ଖବର ଶୁଣି ଗଭୀର ମର୍ମାହତ। ଏହି ଦୁଃଖଦ ଘଟଣା ବିଜୟର ଆନନ୍ଦକୁ ମଧ୍ୟ ଢାଙ୍କି ଦେଇଛି ବୋଲି କହିଛନ୍ତି । ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଏପରି ଦଳାଚକଟା ଏବଂ ଅନିୟନ୍ତ୍ରିତ ଭିଡ଼ ଯୋଗୁଁ ଏକ ଅପ୍ରୀତିକର ଘଟଣା ଘଟିବାର ଭୟରେ ଦଳକୁ ବିଜୟ ଶୋଭାଯାତ୍ରାରେ ଯିବାକୁ ଅନୁମତି ଦିଆଯାଇ ନ ଥିଲା । ତଥାପି, ଷ୍ଟାଡିୟମ ନିକଟରେ ଲୋକଙ୍କ ଭିଡ଼ ଯୋଗୁଁ ଦଳାଚକଟା ଘଟିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଜୀବନ ପ୍ରେମ ଏବଂ ସ୍ନେହ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ, ସୁରକ୍ଷାକୁ ପ୍ରଥମ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଏହି ଦୁର୍ଘଟଣାର ମାଜିଷ୍ଟ୍ରେଟ୍ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଦୋଷୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷରେ ଆଶାଠାରୁ ଅଧିକ ଲୋକ ଆସିଥିଲେ ବୋଲି କହି ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା କରିଛନ୍ତି ସରକାର । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକ ଏବଂ ପ୍ରଶଂସକଙ୍କ ସଂଖ୍ୟା ଆମର ଆଶାଠାରୁ ଅଧିକ ଥିଲା। ବିଧାନ ସୌଧ ସମ୍ମୁଖରେ ୧ ଲକ୍ଷରୁ ଅଧିକ ଲୋକ ଏକାଠି ହୋଇଥିଲେ। ତଥାପି, ସରକାରଙ୍କ ଦ୍ୱାରା ଆୟୋଜିତ ଉତ୍ସବରେ କୌଣସି ଅପ୍ରତ୍ୟାଶିତ ଘଟଣା କିମ୍ବା ଦୁଃଖଦ ଘଟଣା ଘଟିନଥିଲା। କିନ୍ତୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏକ ଦୁଃଖଦ ଘଟଣା ଘଟିଥିଲା। କେହି ଏହା ଆଶା କରିପାରି ନ ଥିଲେ। ନା କ୍ରିକେଟ ଆସୋସିଏସନ୍ ନା ଆମେ ଏହା ଆଶା କରିଥିଲୁ। କ୍ରିକେଟ ଷ୍ଟାଡିୟମରେ ୩୫,୦୦୦ ଲୋକଙ୍କ ବସିବା କ୍ଷମତା ଅଛି। କିନ୍ତୁ ୨-୩ ଲକ୍ଷ ଲୋକ ଆସିଛନ୍ତି। ଆମେ ଏତେ ସଂଖ୍ୟକ ଲୋକ ଆସିବେ ବୋଲି ଆଶା କରି ନଥିଲୁ। ଷ୍ଟାଡିୟମରେ ଯଥାସମ୍ଭବ ଅଧିକ ଲୋକଙ୍କୁ ରଖିବାର ଆଶା କରାଯାଇଥିଲା। ସରକାର କେବଳ କ୍ରିକେଟ ଆସୋସିଏସନ୍ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ଯୋଗାଇବେ ବୋଲି କହିଛନ୍ତି ।