ଭୁବନେଶ୍ୱର: ପୁଣି ଥରେ ଚର୍ଚ୍ଚାକୁ ଆସିଛି ୨୦୨୩ର ହାଇପ୍ରୋଫାଇଲ୍ ନେତା ନବ ଦାସ ହତ୍ୟା ମାମଲା । ତାଙ୍କର ପୁଅ ବିଶାଳ ଦାସ ଏବଂ ଝିଅ ଦୀପାଳି ଦାସଙ୍କ ସିବିଆଇ ତଦନ୍ତ ଦାବିରେ ରାଜନୈତିକ ପାଣିପାଗର ଉଷ୍ଣତା ବୃଦ୍ଧି ପାଇଛି । ଉଭୟ ବିଜେପି ଏବଂ କଂଗ୍ରେସ କହୁଛନ୍ତି ସେତେବେଳେ ବିଜେଡ଼ି ସରକାର ଥିବାବେଳେ କାହିଁକି ସିବିଆଇ ତଦନ୍ତ ପାଇଁ ତାଙ୍କ ପରିବାର ଦାବି କରି ନ ଥିଲେ । ଏହାରି ମଧ୍ୟରେ ବିଜେପି ସମ୍ବଲପୁର ବିଧାୟକ ଜନ ନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି । ୨ଟି ଲୋଭରୁ ପିତୃ ହତ୍ୟାକୁ ଭୁଲି ଗଲେ ବୋଲି କହିଛନ୍ତି ବିଧାୟକ ଶ୍ରୀ ମିଶ୍ର ।
ଜୟ ନାରାୟଣ ମିଶ୍ର ନବ ଦାସଙ୍କ ପରିବାରର ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ଯଦି ପ୍ରକୃତ ତଦନ୍ତ ଚାହୁଁଛନ୍ତି ତାହା ହେଲେ ତାଙ୍କ ପରିବାର କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନାହାଁନ୍ତି ଏବଂ ସିବିଆଇ ତଦନ୍ତ ଚାହୁଁଛନ୍ତି ବୋଲି ଲିଖିତ ଆକାରରେ କୋର୍ଟକୁ ଦିଅନ୍ତୁ । ଯେହେତୁ ଗୋଟିଏ ତଦନ୍ତକାରୀ ସଂସ୍ଥା କୋର୍ଟରେ ରିପୋର୍ଟ ଦାଖଲ କରି ସାରିଛନ୍ତି । ତେଣୁ ଆଉ ଗୋଟିଏ ସଂସ୍ଥା ତଦନ୍ତ କରିବାକୁ ହେଲେ ପରିବାରର କେହି ଜଣେ ବ୍ୟକ୍ତି ଲେଖିକି ଦିଅନ୍ତୁ । ଆଉ ସେମାନେ ଲେଖିକି ଦେଲେ ଆମେ ମାଡ଼ି ବସିବୁ ବୋଲି କହିଛନ୍ତି ବିଧାୟକ ।
ସେହିପରି ବିଧାୟକ ଆହୁରି କହିଛନ୍ତି, ମୁଁ ନିଜେ ବିଧାନସଭାରେ କହିଥିଲି ଏଥିରେ ବଡ଼ ବଡ଼ ମୁଣ୍ଡ ଅଛି । ଜଣେ ଆଇଏଏସ ଅଧିକାରୀ, ଜଣେ ଆଇପିଏସ୍ ଅଧିକାରୀ ଏବଂ ସେତେବେଳର ଜଣେ ବିଧାୟକଙ୍କ ନାଁ ନେଇଥିଲି । ରାଜନୈତିକ ମହତ୍ୱକାଂକ୍ଷା ଏବଂ ବେପାରୀ ମହତ୍ୱକାଂକ୍ଷା, ଏହି ଦୁଇଟି ମୋହରେ ସେମାନେ ପିତୃ ହତ୍ୟାକୁ ଭୁଲି ଗଲେ । ଯଦି ସେମାନେ ତାଙ୍କ ପାଖକୁ ଆସନ୍ତି ତେବେ ସେ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ନେଇକି ଯିବି ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର ।
ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ କହିଛନ୍ତି, ନବ ଦାସ ମୋର ଜଣେ ଭଲ ବନ୍ଧୁ ଥିଲେ । ନବ ଦାସଙ୍କୁ ଯେତେବେଳେ ହତ୍ୟା କରାଗଲା ସେତେବେଳେ ବିଜୁ ଜନତା ଦଳ ସରକାରରେ ଥିଲା । ବିଜେପି ବାରମ୍ବାର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲା । କିନ୍ତୁ ସେତେବେଳର ବିଜୁ ଜନତା ଦଳ ସରକାର କରି ନ ଥିଲା । ଏବେ ଡବଲ ଇଞ୍ଜିନ୍ ସରକାର ଅଛି । ତୁରନ୍ତ ରାଜ୍ୟ ସରକାର ସିବିଆଇ ତଦନ୍ତ କରୁ କ୍ଷୀର କ୍ଷୀର, ପାଣି ପାଣି ହୋଇଯିବ ।