ଭୁବନେଶ୍ୱର: ସ୍ଥଳ ସେନା ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଥାନାରେ ନିର୍ଯ୍ୟାତନା ଦିଆଯିବା ମାମଲାକୁ ନେଇ ଆସିଛି ବଡ଼ ଖବର । ଉଭୟ ଭରତପୁର ଥାନା ଏବଂ ମେଜରଙ୍କ ମାମଲାରେ ତଦନ୍ତ କମିଶନଙ୍କ ତଦନ୍ତ ଶେଷ ହୋଇଛି । ଏ ନେଇ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କ ତଦନ୍ତ କମିଶନ ସଚିବ ଶୁଭେନ୍ଦୁ ମହାନ୍ତି ସୂଚନା ଦେଇଛନ୍ତି ।
ରାଜ୍ୟର ବହୁ ଚର୍ଚ୍ଚିତ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯ୍ୟାତନା ଦିଆଯିବା ମାମଲାରେ ତଦନ୍ତ କମିଶନଙ୍କ ତଦନ୍ତ ଶେଷ ହୋଇଛି । ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇଛି । ଆସନ୍ତା ୨୮ ତାରିଖରେ ସୁଦ୍ଧା ତଦନ୍ତ କମିଶନ ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ।
ଗତବର୍ଷ ସେପ୍ଟେମ୍ବର ୧୪ ତାରିଖ ଶନିବାର ବିଳମ୍ବିତ ରାତିରେ ମେଜର ଓ ତାଙ୍କ ବାନ୍ଧବୀ କାରରେ ଯାଉଥିବାବେଳେ କିଛି ରୋଡ୍ ରୋମିଓ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏ ନେଇ ମେଜର ଏବଂ ତାଙ୍କ ବାନ୍ଧବୀ ଭରତପୁର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ମାତ୍ର ପୋଲିସ ପିସିଆର୍ ପଠାଇବା ବଦଳରେ ପ୍ରଥମେ ଲିଖିତ ଅଭିଯୋଗ କରିବାକୁ କହିଥିଲେ । ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତଦନ୍ତ କରିବା ପରିବର୍ତ୍ତେ ମେଜର୍ ଓ ବାନ୍ଧବୀଙ୍କ ହାଜତରେ ରଖିବା ସହିତ ନିର୍ଯ୍ୟାତନା ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ମାମଲାର ତଦନ୍ତ ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ ।
ଜଷ୍ଟିସ୍ ସି ଆର୍ ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନଙ୍କୁ ତଦନ୍ତଭାର ଦିଆଯାଇଥିଲା । ତଦନ୍ତ କମିଶନ ଭରତପୁର ଥାନା ଓ ଉଭୟଙ୍କୁ ଦୁର୍ବ୍ୟବହାର ହୋଇଥିବା ପଟିଆ ରାସ୍ତାକୁ ଯାଇ ତଦନ୍ତ କରିଥିଲେ । ଏଥିରେ ଏକାଧିକ ବ୍ୟକ୍ତିଙ୍କର ସାକ୍ଷ୍ୟ ଗ୍ରହଣ କରାଯାଇଛି । ମାମଲାର ତଦନ୍ତ ରିପୋର୍ଟ ୬୦ ଦିନ ମଧ୍ୟରେ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପୂରଣ ନ ହେବାରୁ କମିଶନଙ୍କ କାର୍ଯ୍ୟକାଳ ଜାନୁୟାରୀ 31 ପର୍ଯ୍ୟନ୍ତ ବଢ଼ାଯାଇଥିଲା ।