ରାଉରକେଲା: ଜନବସତି ଉପରକୁ ମାଡ଼ି ଆସିଛି ଟ୍ରାକ୍ ଉପରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍ ବଗି । ରାଉରକେଲା ବାସନ୍ତୀ କଲୋନୀ ଅଞ୍ଚଳର ମାଲଗୋଦାମ ବସ୍ତିର ପାର୍କିଂରେ ଏଭଳି ଅଘଟଣ ଘଟିଛି । ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି ।
ବାସନ୍ତୀ କଲୋନୀର ମାଲଗୋଦାମ ବସ୍ତି ନିକଟରେ ଥିବା ରେଳ ବିଭାଗର ପାର୍କିଂରେ ବୁଧବାର ସକାଳୁ ଏକ ଅଘଟଣ ଘଟିଛି । ପାର୍କିଂ ହୋଇଥିବା ମାଲବାହୀ ଟ୍ରେନ୍ ର ୩ଟି ବଗି ସକାଳ ପ୍ରାୟ ୦୬ଟା ୧୦ ସମୟରେ ହଠାତ୍ ରାସ୍ତା ଉପରକୁ ମାଡ଼ି ଆସିଥିଲା । ବସ୍ତି ବାସିନ୍ଦା କେହି କିଛି ବୁଝିପାରି ନ ଥିଲେ । ସ୍ଥାନୀୟ ବାସିନ୍ଦା ଆରପିଏଫ୍ କୁ ସୂଚନା ଦେଇଥିଲେ । ରେଳ ବିଭାଗ କର୍ମଚାରୀ ପହଁଚି ବଗିଗୁଡ଼ିକୁ ହଟାଇବାକୁ ଚେଷ୍ଟା କରିଛନ୍ତି । ତେବେ ଏହା ଦ୍ୱାରା ବିଶେଷ କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି । କେବଳ ଗୋଟେ ଘର ଭାଙ୍ଗିବା ସହିତ ଗୋଟେ ଅଟୋ କ୍ଷତିଗ୍ରସ୍ତ ହୋଇଛି ।
ତେବେ ଏଭଳି ଅଘଟଣ ପରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଛନ୍ତି । ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି ବୋଲି କୁହାଯାଉଛି । ମାତ୍ର ବଗିଗୁଡ଼ିକ କେମିତି ଟ୍ରାକରୁ ବାହାରି ଆସିଲା ଏବଂ ଏଥିପାଇଁ କିଏ ଦାୟୀ ସେ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି ହୋଇଛି ।