ଭୁବନେଶ୍ୱର: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଯାଇଛି । ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ବିଧାନସଭା ମୌସୁମୀ ଅଧିବେଶନ । ଏଥିପାଇଁ ଶାସକ ଓ ବିରୋଧୀ ସଜବାଜ ହେଲେଣି । ଏଥିର ବିଧାନସଭା ବେଶ ସରଗରମ ହେବାର ସମ୍ଭାବନା ରହିଛି । ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ କଂଗ୍ରେସ ଏବଂ ବିଜେଡ଼ି । ତେବେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ ନିଜେ କ୍ଷତାକ୍ତ ହେବେ ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ବିଜେଡ଼ିକୁ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ କରିଥିବା ଆହ୍ୱାନ ଉପରେ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ଅନାସ୍ଥାର ଦୁଇଟି ଦିଗ ଥାଏ । ଅନାସ୍ଥା ସେମାନେ ଆଣିବେ, ଆମେ ଉତ୍ତର ଦେବୁ । ପ୍ରଶ୍ନ ସେହିଭଳି ଭାବେ ଯୋଗାଡ଼ କରନ୍ତୁ, ଉତ୍ତର ଶୁଣିପାରିବେ ନାହିଁ । ବିରୋଧୀ ଅନାସ୍ଥା ଆଣିପାରିବେ କିନ୍ତୁ ସେମାନେ ଭଲଭାବରେ ହୋମୱାର୍କ କରନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ । ପ୍ରଥମେ ବିଜେଡି ଓ କଂଗ୍ରେସ ୪୦ ବର୍ଷର ହିସାବ ନେଇକି ଆସନ୍ତୁ । ଆମେ ଗୋଟିଏ ବର୍ଷର ହିସାବ ଦେବୁ । ସେମାନେ ଲମ୍ବା ସମୟରେ କଣ କରିଛନ୍ତି, ଆମେ ବର୍ଷକରେ କଣ କରିଛୁ ତାହାର ହିସାବ ଦେବୁ । ବିରୋଧୀ ଅନାସ୍ଥା ଆଣିଲେ ସରକାର ଆହତ ହେବେନି ବରଂ ଅନାସ୍ଥା ପ୍ରସ୍ତାବରେ ବିରୋଧୀ ନିଜେ ରକ୍ତାକ୍ତ ହେବେ । ଅନାସ୍ଥା ପ୍ରସ୍ତାବ ସେମାନଙ୍କ ପାଇଁ ବୁମେରାଂ ହେବ ।
ତେବେ ଚଳିତ ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିରୋଧୀ ଅନେକ ପ୍ରସଙ୍ଗ ଆଣିପାରନ୍ତି । ନାରୀ ସୁରକ୍ଷା, ଏଫ୍ ଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲା, ଶରଧାବାଲି ଅଘଟଣ ଭଳି ବିଭିନ୍ନ ପ୍ରସଙ୍ଗକୁ ମୁଦ୍ଦା କରିପାରନ୍ତି ବିରୋଧୀ ।
ଅନାସ୍ଥା ପାଇଁ ବିଜେଡ଼ିକୁ ଆହ୍ୱାନ କରିଛି କଂଗ୍ରେସ
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଆହ୍ୱାନ କରିଛନ୍ତି । ନାରୀକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ସଂଗ୍ରାମ ଜାରି ରଖିଛି । ବିଜେଡି ମୁଖ୍ୟ ବିରୋଧୀ ଦଳ । ତେଣୁ ବିଜେଡି ନାରୀଙ୍କୁ ନ୍ୟାୟ ଦେବାକୁ ଚାହୁଁଥାଏ ତା’ହେଲେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣୁ । କଂଗ୍ରେସ ଏହାକୁ ସମର୍ଥନ କରିବ । ନଚେତ୍ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଲେ, ବିଜେଡି ଏହାକୁ ସମର୍ଥନ ଦେବ ବୋଲି ପିସିସି କହିଥିଲେ ।