କଟକ: ଲାଞ୍ଚ ନେଇ ଗିରଫ ହୋଇଥିବା ଆଇଏଏସ ଅଧିକାରୀ ତଥା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ଆଶ୍ୱସ୍ତି ମିଳିଛି । ଚକମାଙ୍କୁ ହାଇକୋର୍ଟ ଗୁରୁବାର ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ହାଇକୋର୍ଟ ୫ ଲକ୍ଷ ଟଙ୍କା ସହିତ ୨ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଛନ୍ତି ।
ଗତ ଜୁନ ୮ ତାରିଖରେ ଆଇଏଏସ୍ ଧୀମାନ ଚକମା ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ତାଙ୍କ ବାସଭବନରେ ଚଢ଼ାଉ କରାଯିବା ପରେ ୪୭ ଲକ୍ଷ ୪୭ ହଜାର ୬୦୦ ନଗଦ ଟଙ୍କା ମିଳିଥିଲା । ସେହିପରି ଧର୍ମଗଡ଼ କାର୍ଯ୍ୟାଳୟରେ ମଧ୍ୟ ତଲାସୀ କରାଯାଇଥିଲା । କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି । ଏହା ପରେ ଜୁନ ୯ ତାରିଖରେ ଉପଜିଲ୍ଲାପାଳଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଥିଲେ । ଏହା ପରେ ଜୁନ ୨୦ ତାରିଖରେ ସେ ହାଇକୋର୍ଟଙ୍କ ନିକଟରେ ଗୁହାରୀ କରିଥିଲେ ।
୨୦୧୧ ବ୍ୟାଚ୍ ଆଇଏଏସ୍ ଧୀମାନ୍ ତ୍ରିପୁରାର ମୂଳ ବାସିନ୍ଦା ଅଟନ୍ତି । ତାଙ୍କ ବାପା ଜଣେ ଶିକ୍ଷକ ଅଟନ୍ତି । ସେ ଅଗରତାଲା ଏନ୍ଆଇଟିରୁ କମ୍ପ୍ୟୁଟର୍ ସାଇନ୍ସରେ ଡ୍ରିଗ୍ରି ହାସଲ କରିଛନ୍ତି । ଲାଞ୍ଚ ଅଭିଯୋଗ ଆସିବା ପରେ ରାଜ୍ୟ ସରକାରଙ୍କୁ ଚକମା କାର୍ଯ୍ୟରୁ ନିଲମ୍ବିତ ମଧ୍ୟ କରିଛନ୍ତି ।