ଶ୍ଵଶୁର ଘରେ ଜ୍ବାଇଁକୁ ହତ୍ୟା। ସ୍ତ୍ରୀକୁ ମାରିବାକୁ ଶ୍ଵଶୁର ଘରକୁ ରାତିଅଧରେ ଆସିଥିଲା ସ୍ଵାମୀ। ହେଲେ ଶ୍ଵଶୁର ଘର ଲୋକଙ୍କ ସହିତ ଗଣ୍ଡଗୋଳ ଏବଂ ମାରପିଟ୍ ରେ ଚାଲିଗଲା ଜ୍ବାଇଁର ଜୀବନ। ଶନିବାର ବିଳମ୍ବିତ ରାତିରେ ଜଟଣୀର ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଗ୍ରାମଣ୍ଡିହ ଗାଁରେ ଘଟିଛି ଏପରି ଘଟଣା।
ସୂଚନା ଅନସୁାରେ, ହତ୍ୟାର ଶିକାର ବ୍ୟକ୍ତି ଜଣକ ଶନିବାର ବିଳମ୍ବିତ ରାତିରେ ଶ୍ଵଶୁର ଘରକୁ ଆସିଥିଲେ। ସ୍ତ୍ରୀ ଦେଢ଼ବର୍ଷ ହେବ ଶାଶୁଘର ଛାଡ଼ି ବାପ ଘରେ ରହୁଥିଲା। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା। ଅଭିଯୋଗ ମୁତାବକ, ଗ୍ରାମଣ୍ଡିହ ଗାଁର ପ୍ରମୋଦ ଜେନାଙ୍କ ଝିଅ ଲକ୍ଷ୍ମୀପ୍ରିୟା ପାରିବାରିକ କଳହ ଯୋଗୁଁ ପ୍ରାୟ ଦେଢ଼ ବର୍ଷ ହେଲା ଶାଶୁଘର ଛାଡି ବାପଘରେ ରହୁଛନ୍ତି । ଗତକାଲି ବିଳମ୍ବିତ ରାତିରେ ଜ୍ୱାଇଁ ଦିବାଘର ଶ୍ୱଶୁର ଘରେ ପହଞ୍ଚି ଗଣ୍ଡଗୋଳ କରିଥିଲା । ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ଲକ୍ଷ୍ମୀପ୍ରିୟାଙ୍କୁ ମାରିବାକୁ ଆକ୍ରମଣ କରିଥିଲା । ଶାଶୁଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।
ଝିଅକୁ ଆକ୍ରମଣରୁ ରକ୍ଷା କରିବାକୁ ପ୍ରମୋଦଙ୍କ ପରିବାର ଦିବାକର ଉପରେ ପାଲଟା ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଜ୍ୱାଇଁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଜ୍ୱାଇଁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଜ୍ୱାଇଁ ଆକ୍ରମଣରେ ଗୁରୁତର ସ୍ତ୍ରୀ ଓ ଶାଶୁ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଖବର ପାଇ ଇନଫୋଭ୍ୟାଲି ପୋଲିସ ଓ ଭୁବନେଶ୍ୱର ଜୋନ-୩ ଏସିପି ତାପସ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।