ଭୁବନେଶ୍ୱର: ଆଜି ଗୋଟିଏ ଦିନ (ରବିବାରରେ) ଦୁଇ-ଦୁଇଟି ବଡ଼ ପରୀକ୍ଷାରେ ତ୍ରୁଟି । ରାଜ୍ୟ ଲୋକସେବା ଆୟୋଗ ଓପିଏସ୍ସି (OPSC) ଏବଂ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଓଏସ୍ଏସ୍ସି (OSSC) ୨ଟି ବଡ଼ ପରୀକ୍ଷାରେ ତ୍ରୁଟି ହୋଇଛି । ଏନେଇ ନୋଟିସ୍ ଜରିଆରେ ତ୍ରୁଟି ସ୍ବୀକାର କରିଛନ୍ତି ଓପିଏସସି କର୍ତ୍ତୃପକ୍ଷ । OSSC ପରୀକ୍ଷାରେ ତ୍ରୁଟିକୁ ସ୍ବୀକାର କରି ଦୁଃଖ ପ୍ରକାଶ ସହ ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ଜଣାଇଛନ୍ତି କର୍ତ୍ତୃପକ୍ଷ ।
ପ୍ରତିଯୋଗିତାମୂଳକ ପରୀକ୍ଷାରେ ଏଭଳି ତ୍ରୁଟି ନେଇ ପରୀକ୍ଷାର୍ଥୀ ଅସନ୍ତୋଷ ଦେଖାଇଛନ୍ତି। ଆଜି ଏକ୍ସାଇଜ୍ ଓ ଟ୍ରାଫିକ୍ ଏସ୍ଆଇ ପରୀକ୍ଷା ଥିଲା । ମାତ୍ର ସିଜିଏଲ୍ରୁ ପ୍ରଶ୍ନ ଆସିଥିବା ପରୀକ୍ଷାର୍ଥୀଙ୍କ ଅଭିଯୋଗ ହୋଇଥିଲା । ଏତେ ବଡ଼ ପରୀକ୍ଷାରେ ତ୍ରୁଟିକୁ ନେଇ ପରୀକ୍ଷାର୍ଥୀ ହତାଶ ହୋଇଛନ୍ତି । ଅନ୍ୟପଟେ ଆଜି ସିଭିଲ ସର୍ଭିସ୍ ସେବା ଓସିଏସ୍ (OCS) ମେନ୍ ୨୦୨୩ର ଆନ୍ଥ୍ରୋପୋଲୋଜିର ୨ଟି ପେପର ଥିଲା । ପୂର୍ବାହ୍ନ ୯ରୁ ୧୨ଟା ଆନ୍ଥ୍ରୋପୋଲୋଜି ପ୍ରଥମ ପେପର ପରୀକ୍ଷା ଥିଲା । ଅପରାହ୍ନ ୨ଟାରୁ ୫ଟା ଆନ୍ଥ୍ରୋପୋଲୋଜି ଦ୍ବିତୀୟ ପେପର୍ ପରୀକ୍ଷା ଥିଲା । କିନ୍ତୁ ପ୍ରଥମ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଦ୍ବିତୀୟ ପେପରରୁ ଆସିଥିବାବେଳେ ଦ୍ବିତୀୟ ପେପର ପରୀକ୍ଷାରେ ପ୍ରଥମ ପେପର କିଛି ପ୍ରଶ୍ନ ଆସିଥିଲା । ପ୍ରଥମ ସିଟିଂ ପରୀକ୍ଷା ପରେ ପରୀକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରିଥିଲେ ।