ଭୁବନେଶ୍ୱର: ରାଜ୍ୟରେ ଖାଲିଥିବା ୧୩ ବିଶ୍ୱବିଦ୍ୟାଳୟରେ କୁଳପତି ପଦ ପୂରଣ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଦରଖାସ୍ତ ଆହ୍ୱାନ କରାଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପଦ ପାଇଁ ଯୋଗ୍ୟତା ମାନଦଣ୍ଡ ସ୍ଥିର କରାଯାଇଛି । କୁଳପତି ପଦ ପାଇଁ ଯେକୌଣସି ବିଶ୍ଵବିଦ୍ୟାଳୟରେ ପ୍ରଫେସର ଭାବେ ୧୦ ବର୍ଷର ଅଭିଜ୍ଞତା ଥିବ କିମ୍ବା ସମକକ୍ଷ ପଦବୀରେ ୧୦ ବର୍ଷର କାର୍ଯ୍ୟ କରିବା ଅଭିଜ୍ଞତା ଥିବ । ସେହିପରି କୁଳପତି ପାଇଁ ବୟସ ୨୦୨୫ ଡିସେମ୍ବର ୧ ସୁଦ୍ଧା ବୟସ ୬୬ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ଇଚ୍ଛୁକ ପ୍ରଫେସରଙ୍କ ଜନ୍ମ ୧୯୫୯ ଡିସେମ୍ବର ୨ରେ କିମ୍ବା ଏହା ପରେ ହୋଇଥିବା ଆବଶ୍ୟକ ।
ଇଚ୍ଛୁକ ପ୍ରଫେସରମାନେ ଆସନ୍ତା ଜୁଲାଇ ୫ ତାରିଖ ମଧ୍ୟ ରାତ୍ର ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ୱେବ୍ ସାଇଟରେ www.dhe.odisha.gov.in ଆବେଦନ କରିପାରିବେ । ଆବେଦନର ହାର୍ଡ କପି ଜୁଲାଇ ୧୦ ତାରିଖ ପୂର୍ବରୁ ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ ପହଁଚିବା ଦରକାର । ଯଦି କୌଣସି ହାର୍ଡ କପି ଜୁଲାଇ ୧୫ ତାରିଖ ପରେ ଗ୍ରହଣ କରାଯାଏ ତାହାକୁ ଅଗ୍ରାହ୍ୟ କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।
ଚୟନ ହୋଇଥିବା ପ୍ରାର୍ଥୀଙ୍କର ତିନି ଜଣିଆ କମିଟି ଦ୍ୱାରା ସାକ୍ଷାତକାର କରାଯିବ । ଏ ନେଇ ସ୍ଥାନ ଏବଂ ସମୟ ପରବର୍ତ୍ତୀ ସମୟରେ ସ୍ଥିର କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।