ଭୁବନେଶ୍ୱର: ଜଳୁଛି ଓଡ଼ିଶା । ଟାଣ ଖରା, ପ୍ରବଳ ଗରମ ଏବଂ ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ । ଆଉ ପଶ୍ଚିମ ଓଡ଼ିଶାରେ ତାତି ଅସମ୍ଭାଳ । ଆଜି ରାଜ୍ୟର ୫ଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଥିବାବେଳେ ଝାରସୁଗୁଡ଼ା ୪୫.୨ ଡିଗ୍ରୀ ସେଲସିୟସ୍ ସହିତ ସବୁଠୁ ଉତ୍ତପ୍ତ ଜିଲ୍ଲାରେ ଗଣତି ହୋଇଛି ।
ଆଜି ଝାରସୁଗୁଡ଼ା, ସମ୍ବଲପୁର, ହୀରାକୁଦ, ଟିଟିଲାଗଡ଼ ଏବଂ ବୌଦ୍ଧରେ ପାରଦ ୪୫ ଡିଗ୍ରୀ ଛୁଇଁଛି । ସେହିପରି ସୋନପୁରରେ ୪୪.୭ ଡିଗ୍ରୀ, ବଲାଙ୍ଗୀରରେ ୪୪.୫ ଡିଗ୍ରୀ, ଭବାନୀପାଟଣା ୪୪.୫ ଡିଗ୍ରୀ, ନୂଆପଡ଼ା ୪୩.୫ ଡିଗ୍ରୀ, ବରଗଡ଼ ୪୨.୮ ଡିଗ୍ରୀ ଓ ସୁନ୍ଦରଗଡ଼ ୪୨.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଉଛି ।
ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପାଣିପାଗ ବିଭାଗ ତିନୋଟି ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଟ୍ ୱେଭ୍ ପାଇଁ ସତର୍କ ସୂଚନା ଜାରି କରିଛି । ଏହି ତିନୋଟି ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି ହୋଇଛି । ବଲାଙ୍ଗୀରରେ ଗୋଟିଏ ଦୁଇଟି ସ୍ଥାନରେ ରାତିରେ ଗରମ ଅନୁଭୂତ ବା ଉଷ୍ଣ ରାତି ପରିସ୍ଥିତି ସୃଷ୍ଟି ଅନୁଭୂତ ହେବାର ଅଧିକ ସମ୍ଭାବନା ରହିଛି ।
ସେହିପରି ବାଲେଶ୍ୱର, ଭଦ୍ରକ, ଯାଜୁପର, କେନ୍ଦ୍ରାପଡ଼ା, ଜଗତିସିଂହପୁର, କଟକ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ରାୟଗଡ଼, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ଅପରାହ୍ନରୁ ସନ୍ଧ୍ୟା ସମୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ ୪୦ରୁ ୫୦ କିଲୋମିଟର ରହିବ ।
ବୌଦ୍ଧ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଜାରି ହେବାର ସମ୍ଭାବନା ଅଛି I ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ଗୋଟିଏ କିମ୍ଵା ଦୁଇଟି ସ୍ଥାନରେ ଗରମ ଏବଂ ଗୁଳୁଗୁଳି ଅବସ୍ଥା ରହିବାର ସମ୍ଭାବନା ରହିଛି।