ଭୁବନେଶ୍ୱର: ପ୍ରବଳ ଗରମ ଯୋଗୁଁ ବଢ଼ୁଥିବା ବିଦ୍ୟୁତ ଚାହିଦାକୁ ଦେଖି ଓଡ଼ିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିମିଟେଡ୍ ବା ଓପିଟିସିଏଲ୍ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଓପିଟିସିଏଲ୍ ର ସମସ୍ତ ବିଦ୍ୟୁତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।
ନିରନ୍ତର ବିଦ୍ୟୁତ ପ୍ରବାହକୁ ସୁନିଶ୍ଚିତ କରିବାକୁ ଓପିଟିସିଏଲ୍ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ଉପରସ୍ଥ କର୍ତ୍ତୃପକ୍ଷଙ୍କ ବିନା ପୂର୍ବ ଅନୁମତିରେ କେହି ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ । ଯେଉଁମାନେ ଛୁଟିରେ ରହିଛନ୍ତି ସେମାନଙ୍କୁ ତୁରନ୍ତ ମୁଖ୍ୟାଳୟରେ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ରହିଛି । କେବଳ ମାତୃତ୍ୱ ଛୁଟି ଏବଂ ସ୍ୱାସ୍ଥ୍ୟ ସମସ୍ୟା ଜନିତ ଛୁଟିକୁ ଏଥିରୁ ବାଦ ଦିଆଯାଇଛି ।ଏହା ସହିତ, ସମସ୍ତ ନିର୍ଦ୍ଧାରିତ ବୈଠକ, ସମ୍ମିଳନୀ, ସେମିନାର, ତାଲିମ କାର୍ଯ୍ୟକ୍ରମ, ସରକାରୀ ପରିଦର୍ଶନ, ଯାଞ୍ଚ ଏବଂ କର୍ମଚାରୀମାନଙ୍କୁ ମୁଖ୍ୟାଳୟ ଛାଡିବାକୁ ବାଧ୍ୟ କରୁଥିବା ଅନ୍ୟାନ୍ୟ କାର୍ଯ୍ୟକୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସ୍ଥଗିତ ବା ବାତିଲ୍ କରାଯାଇଛି। ଏହି ସମୟ ମଧ୍ୟରେ ଯେକୌଣସି ତାଲିମ କିମ୍ବା ଭିଜିଟ୍ ପାଇଁ ପୃଥକ ଭାବେ ଅନୁମୋଦନ ମିଳିବ ।