ଝାରୁସୁଗୁଡ଼ା: ଯିଏ ରକ୍ଷକ ସାଜି ଦେଇଥିଲା ସାହାରା ସିଏ ହିଁ ହୋଇଗଲା ଭକ୍ଷକ । ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ଝାରସୁଗୁଡ଼ା ଜିଲ୍ଲା କୋର୍ଟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ନାବାଳିକା ପାଳିତ କନ୍ୟାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଏବଂ ଭୟଭୀତ କରି ଚୁପ୍ ରଖିବା ଅଭିଯୋଗରେ ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ ପୀଡ଼ିତାଙ୍କୁ ସରକାରଙ୍କ ପକ୍ଷରୁ ୧୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଥାନା ପୁରୁଣାବସ୍ତିରେ ପୀଡ଼ିତାଙ୍କ ପରିବାର ଏକ ଭଡ଼ା ଘରେ ରହୁଥିଲେ । ୨୦୨୪ ମସିହା ଜୁଲାଇ ୨୯ ତାରିଖରେ ନାବାଳିକାର ସାବତ ବାପା ରଞ୍ଜିତ ମିଶ୍ର ଭଡ଼ା ଘରେ ପାଳିତା ନାବାଳିକା ଝିଅକୁ ଦୁଷ୍କର୍ମ କରିଥିଲା । ନାବାଳିକାର ମାଆ ବାଥରୁମରେ ଥିବାବେଳେ ସାବତ ବାପା ଝିଅ ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ଏ ନେଇ ପୀଡ଼ିତା ତାଙ୍କ ମାଆ ସହିତ ଯାଇ ଥାନାରେ ଅଭିଯୋଗ କରିଥିଲେ । ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ଏପରି କରିବା ସହିତ ନାବାଳିକାକୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲା ରଞ୍ଜିତ । ଅଭିଯୁକ୍ତ ଜଣକ ଘରେ ଅନ୍ୟ କେହି ନଥିବାର ସୁଯୋଗ ନେଇ ନିଜର ନାବାଳିକା ପାଳିତ କନ୍ୟାଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦେଇ ଆସୁଥିଲେ। ଏହା ସହ ଘଟଣା ସମ୍ପର୍କରେ କାହାକୁ କହିଲେ ପୀଡ଼ିତା, ତାଙ୍କ ମାଆ ଏବଂ ସାନ ଭଉଣୀଙ୍କୁ ହତ୍ୟା କରିଦେବାକୁ ଧମକ ଦେଉଥିବା ଅଭିଯୋଗ ମଧ୍ୟ ହୋଇଥିଲା।
ମାମଲା ରୁଜୁ ହେବା ପରେ ଝାରସୁଗୁଡ଼ା ପୋଲିସ ତଦନ୍ତ କରି ମାତ୍ର ୫୮ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିଥିଲା। ମାମଲାରେ ଉପସ୍ଥାପିତ ୨୪ ଜଣଙ୍କ ସାକ୍ଷ୍ୟ, ପ୍ରମାଣ ଏବଂ ସାକ୍ଷୀଙ୍କ ବୟାନକୁ ବିଚାର କରି ମାନ୍ୟବର ଝାରସୁଗୁଡ଼ା କୋର୍ଟର ଏଡିଜେ ପୂଜା ଷଡ଼ଙ୍ଗୀ ଅଭିଯୁକ୍ତଙ୍କୁ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି।