ପୁରୀ: ଆସନ୍ତାକାଲି ଠାରୁ ରତ୍ନଭଣ୍ଡାର ଗଣତି କାର୍ଯ୍ୟ ସ୍ଥଗିତ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଜୁନ୍ ମାସରେ ପୁଣି ଗଣତି କାର୍ଯ୍ୟ ଆରମ୍ଭ ହେବ ।
ଆଗାମୀ ଦିନରେ ମହାପ୍ରଭୁଙ୍କ ଅନେକ ପର୍ବପର୍ବାଣୀ ଆସୁଛି । ବିଶେଷକରି ସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ଆସନ୍ତା ସପ୍ତାହରୁ ଛତିଶା ନିଯୋଗ ଓ ପରିଚାଳନା କମିଟିର ବୈଠକଗୁଡ଼ିକ କ୍ରମାଗତ ଭାବେ ଆୟୋଜିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଗତ ଗୁରୁବାର ଅଷ୍ଟମ ଦିନରେ "ଭିତର ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାରର ଗଣତିର କାର୍ଯ୍ୟ ସମାପ୍ତ ହୋଇଛି । ସମୁଦାୟ ୩ଘଣ୍ଟା ୪୦ ମିନିଟ୍ ପର୍ଯ୍ୟନ୍ତ ଅଳଙ୍କାର ଗଣତି ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ସଂଧ୍ୟା ୬ଟା୩୦ରୁ ରାତି ୧୦.୧୦ ପର୍ଯ୍ୟନ୍ତ ଗଣତି କାର୍ଯ୍ୟ ସ୍ୱଚ୍ଛତାର ସହ ସମ୍ପନ୍ନ ହୋଇଥିଲା । ତେବେ ପୂର୍ବ ନିଷ୍ପତ୍ତି ମୁତାବକ ଆସନ୍ତା ୨୩ ତାରିଖ, ୨୬, ୨୮, ୨୯ ଓ ୩୦ ତାରିଖରେ ଅଳଙ୍କାର ଗଣତି କରାଯିବାକୁ ଥିବାବେଳେ ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି । ତେବେ ପ୍ରବଳ ଗରମ ପାଇଁ ମେ ମାସର ଗଣତିକୁ ସ୍ଥଗିତ ରଖାଯାଇଛି ।