ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ଖାଲିଥିବା ୫୨୪୮ ଏମବିବିଏସ ଡାକ୍ତର ପଦବୀ ପୂରଣ ହେବ । ସେହିପରି ୧୨୬ଟି ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ନିମନ୍ତେ ଲୋକସେବା ଆୟୋଗକୁ ଚିଠି ଲେଖାଯାଇଛି । ଏନେଇ ସୋମବାର ବିଧାନସଭା ଗୃହରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ।
ଗୃହର ପ୍ରଶ୍ନ କାଳରେ ସ୍ୱାସ୍ଥ୍ୟ ବିଭାଗକୁ ପଚରା ଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ବାସୁଦେବପୁର ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ରାଜ୍ୟରେ ଖାଲିଥିବା ୫୨୪୮ ଏମବିବିଏସ ଡାକ୍ତର ପଦବୀ ଏବଂ ୧୨୬ଟି ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଛି । ସେହିପରି ପାରା ମେଡ଼ିକାଲ କର୍ମଚାରୀ ପୂରଣ ପାଇଁ ଓଏସ୍ଏସ୍ଏସସିକୁ ଚିଠି ଲେଖାଯାଇଛି ।
ସେହିପରି ସବୁ ଜିଲ୍ଲା ହସ୍ପିଟାଲରେ ଡେ କେୟାର ସେଣ୍ଟର ଓ କେମୋଥେରାପି ବ୍ୟବସ୍ଥା କରାଯିବ । ସାଟେଲାଇଟ ସେଣ୍ଟରର ଉଦ୍ଦେଶ୍ୟ ହେଉଛି, ଯେଉଁ ପୁରୁଣା ଭିତ୍ତିଭୂମି ଅଛି, ତାହା ବ୍ୟବହାର କରିବା ସହ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବା । ଭଦ୍ରକ, ଝାରସୁଗୁଡା, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର, ଦେବଗଡ଼, କଳାହାଣ୍ଡି, ଯାଜପୁର ଓ ବୌଦ୍ଧରେ ସାଟେଲାଇଟ ସେଣ୍ଟର ଖୋଲିବାକୁ ପ୍ରସ୍ତାବ ଆସିଛି । ସାଟେଲାଇଟ ସେଣ୍ଟରରେ ଦଶଟି ଅବଜରଭେସନ ବେଡ଼ ରହିବ । ଜିଲ୍ଲା ହସ୍ପିଟାଲକୁ ରୋଗୀ ସ୍ଥାନାନ୍ତର ଲାଗି କ୍ୟାମ୍ପସରେ ୨୪ଘଣ୍ଟା ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ।