ଭୁବନଶ୍ୱର: ଆଜି ପବିତ୍ର ହରିଶୟନ ଏକାଦଶୀ। ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀର ନାମ ‘ହରିଶୟନ’ ବା ପଦ୍ମା ଏକାଦଶୀ । ଏହିଦିନ ଶ୍ରୀଜଗନ୍ନାଥଙ୍କର ଶୟନ ଯାତ୍ରା। ମହାପ୍ରଭୁଙ୍କର ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ଅନ୍ୟତମ। ହରିଶୟନ ଏକାଦଶୀଠାରୁ ଚାରିମାସ ପର୍ଯ୍ୟନ୍ତ ଠାକୁରମାନେ ଶୟନ କରନ୍ତି। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ଦିନ ମହାପ୍ରଭୁ ଶୟନରୁ ଉଠନ୍ତି। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କର ସମସ୍ତ ଏକାଦଶୀ ଭଳି ନୀତି ଅନୁଷ୍ଠିତ ହୋଇଥାଏ। ବିଳମ୍ବିତ ରାତିରେ ବଡ଼ସିଂହାର ବେଶ ଓ ବଡ଼ସିଂହାର ଭୋଗ ହୋଇ ମହାସ୍ନାନ ପରେ ଭଣ୍ଡାର ମେକାପ ଭଣ୍ଡାରଘରୁ ସୁବର୍ଣ୍ଣର ଶୟନ ଠାକୁରଙ୍କୁ ତିନିରଥକୁ ବିଜେ କରାଇବେ।
ଚତୁର୍ମାସରେ ଭଗବାନ ବିଷ୍ଣୁ ଶୋଇ ରହନ୍ତି, ଏଥିପାଇଁ ମନୁଷ୍ୟ ଭୂମିରେ ଶୟନ କରିବା ଉଚିତ । ଶ୍ରାବଣ ମାସରେ ଶାଗ, ଭାଦ୍ରବ ମାସରେ ଦହି, ଆଶ୍ୱିନ ମାସରେ ଦୁଧ ଏବଂ କାର୍ତ୍ତିକ ମାସରେ ଡାଲି ତ୍ୟାଗ କରିବା ଉଚିତ । ଯିଏ ଚତୁର୍ମାସରେ ବ୍ରହ୍ମଚର୍ଯ୍ୟ ପାଳନ କରେ ସେ ପରମଗତି ପ୍ରାପ୍ତ ହୁଏ । ଏକାଦଶୀ ବ୍ରତଦ୍ୱାରା ହିଁ ମନୁଷ୍ୟ ସବୁ ପାପରୁ ମୁକ୍ତ ହୋଇଯାଏ । ଏଣୁ ସର୍ବଦା ଏହି ବ୍ରତ କରିବା ଉଚିତ । ‘ଶୟନ’ ଓ ‘ବୋଧିନୀ’ ଏକାଦଶୀ ମଧ୍ୟରେ ଯେଉଁ କୃଷ୍ଣପକ୍ଷୀୟ ଏକାଦଶୀମାନ ପଡ଼େ, ଗୃହସ୍ଥ ପାଇଁ କେବଳ ତାହା ହିଁ ବ୍ରତ ରଖିବା ଯୋଗ୍ୟ ।
ଶ୍ରୀବଳଭଦ୍ର ଦେବଙ୍କ ରଥରେ ବାସୁଦେବ, ଦେବୀ ସୁଭଦ୍ରାଙ୍କ ରଥରେ ଭୁବନେଶ୍ୱରୀ ଓ ଶ୍ରୀଜଗନ୍ନାଥଙ୍କ ରଥରେ ଶ୍ରୀନାରାୟଣ (ଶୟନ ଠାକୁର) ବିଜେ କରିବେ। ପୂଜାପଣ୍ଡା ଶୟନ ଠାକୁରମାନଙ୍କୁ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗକୁ ଲାଗି କରାଇବା ପରେ ରଥ ଉପରେ ମହାସ୍ନାନ ନୀତି ଅନୁଷ୍ଠିତ ହେବ। ଅନ୍ୟାନ୍ୟ ନୀତି ବଢିଲା ପରେ ତିନିଜଣ ପୂଜାପଣ୍ଡା ତିନିରଥରେ ବିଜେ ହୋଇଥିବା ଶୟନ ଠାକୁରମାନଙ୍କୁ ହାତରେ ଧରି ମନ୍ଦିରର ଭଣ୍ଡାର ଦୁଆର ନିକଟକୁ ନେଇଥାନ୍ତି । ସେଠାରେ ପାରମ୍ପରିକ ରୀତି ଅନୁଯାୟୀ, ଶୟନ ନୀତି ଅନୁଷ୍ଠିତ ହୋଇଥାଏ। ଶୟନ ଘରେ ପୂର୍ବରୁ ପେଡ଼ି, ତାଟ, ଶେଯ, ମାଣ୍ଡି ପ୍ରସ୍ତୁତ ରହିଥାଏ। ଠାକୁରମାନେ ଏଥିରେ ଶୟନ କରନ୍ତି। ଏହି ସମୟରେ ପ୍ରସାଦଲାଗି, ପୁଷ୍ପାଞ୍ଜଳି, କର୍ପୂର ଆଳତି, ସାତକାହାଳୀ, ସଞ୍ଜବତୀ ଓ ଦୁର୍ବାକ୍ଷତ ବନ୍ଦାପନା ପରେ ପେଡ଼ି ବନ୍ଦ କରାଯାଏ। ପେଡ଼ି ଉପରେ ଖୋଳ ପକାଯାଏ। ଏସବୁ ସରି ସମସ୍ତେ ବାହାରକୁ ଆସିଲେ ଶୟନ ଘର ଦ୍ୱାର ମଦନମୋହନଙ୍କ ମୁଦରେ ମୁଦ ଦିଆଯାଇ ବନ୍ଦ କରାଯାଏ। ଏହି ସମୟରେ ଠାକୁରମାନେ ଦକ୍ଷିଣକୁ ମୁହଁ କରି ଶୟନ କରିଥାନ୍ତି। ହରିଶୟନ ଏକାଦଶୀଠାରୁ ଚର୍ତୁମାସ ବ୍ରତ ଆରମ୍ଭ ହୋଇଥାଏ।
ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ ମନୁଷ୍ୟ ଉତ୍ତମ ରୂପେ ଧର୍ମ ଆଚରଣ କରିବା ଉଚିତ । ଯେଉଁ ମନୁଷ୍ୟ ଏହି ବ୍ରତର ଅନୁଷ୍ଠାନ କରେ ସେ ପରମଗତି ପ୍ରାପ୍ତ ହୁଏ । ତେଣୁ ଯତ୍ନପୂର୍ବକ ଏହି ଏକାଦଶୀ ବ୍ରତ କରିବା ଉଚିତ୍ ।ହିନ୍ଦୁ ଧର୍ମରେ ଏହି ମାସକୁ ତପସ୍ୟାର ମାସ ମଧ୍ୟ କୁହାଯାଏ । ବିଶ୍ୱାସ ରହିଛିଯେ ଏହି ଦିନ ଭଗବାନ ବିଷ୍ଣୁ ଗଭୀର ନିଦ୍ରାକୁ ଚାଲିଯାନ୍ତି । ଆଉ ଚାରି ମାସ ପରେ ଦେବୋଉଠାଣ ଏକାଦଶୀରେ ତାଙ୍କ ନିଦ ଭାଙ୍ଗିଥାଏ । ଶାସ୍ତ୍ର ଅନୁଯାୟୀ ଭଗବାନ ବିଷ୍ଣୁ ଯେତେ ଦିନ ଯାଏଁ ଶୁଅନ୍ତି ସେମଧ୍ୟରେ କୌଣସି ଶୁଭକାର୍ଯ୍ୟ କରାଯାଇନଥାଏ । ମାନ୍ୟତା ଅନୁସାରେ ଦେବଶୟନ ଏକାଦଶୀ ବ୍ରତ କରିବା ଦ୍ୱାରା ସବୁ ପାପ ନଷ୍ଟ ହୁଏ । ମନ ଶୁଦ୍ଧ ରହିବା ସହିତ ଅନେକ ରୋଗ ମଧ୍ୟ ଦୂର ହୋଇଥାଏ ।