ପୁରୀ: ଶ୍ରୀଜଗନ୍ନାଥଙ୍କର ଅନେକ ବେଶ । କେତେକ ଶ୍ରୀଜିଉଙ୍କର ୩୨ ବେଶ ବୋଲି କହୁଥିବା ବେଳେ ଏହା ପ୍ରକୃତରେ ୨୪ ବୋଲି ଜଣାଯାଏ । ଏଥିରୁ ପ୍ରତିବର୍ଷ ଶ୍ରୀମନ୍ଦିରରେ ୨୨ଟି ବେଶ ହେଉଥିବା ବେଳେ ଦୁଇଟି ବେଶ ବିଶେଷ ତିଥିରେ ଅନୁଷ୍ଠିତ ହୋଇଥାଏ । ସେଥିମଧ୍ୟରୁ ଶ୍ରୀଜଗନ୍ନାଥଙ୍କର ଅତ୍ୟନ୍ତ ଆକର୍ଷଣୀୟ ବେଶ ହେଉଛି ସୁନାବେଶ । ଏହି ବେଶ ବର୍ଷରେ ଛଅଥର ହୋଇଥାଏ । ଏଥିରୁ ଥରେ ରଥରେ ହେଉଥିବା ବେଳେ ଅନ୍ୟ ପାଞ୍ଚଥର ଶ୍ରୀମନ୍ଦିରର ରତ୍ନବେଦିରେ ହୋଇଥାଏ।
ରତ୍ନବେଦିରେ ହେଉଥିବା ସୁନାବେଶ ମଧ୍ୟରୁ ଚାରିଟି ପୂର୍ଣ୍ଣମୀ ତିଥିରେ ହୋଇଥାଏ । ଶ୍ରୀମନ୍ଦିରର ରତ୍ନବେଦିରେ ହେଉଥିବା ପାଞ୍ଚ ସୁନାବେଶ ମଧ୍ୟରୁ କାର୍ତ୍ତିକ ପୂର୍ଣ୍ଣମୀର ସୁନାବେଶକୁ ‘ରାଜରାଜେଶ୍ୱର ବେଶ’ କୁହାଯିବାବେଳେ ଅନ୍ୟ ଚାରି ବେଶକୁ ‘ରାଜବେଶ’ କୁହାଯାଏ । ତେବେ କାର୍ତ୍ତିକ ପୂର୍ଣ୍ଣିମୀର ‘ରାଜରାଜେଶ୍ୱର ବେଶ’ ‘ରାଜବେଶ’ର ଅନୁରୂପ । କାର୍ତ୍ତିକ ମାସର ଅନ୍ୟ ଦିନରେ ଶ୍ରୀଜଗନ୍ନାଥ ରାଧା-ଦାମୋଦର ବେଶ ହୋଇଥାଆନ୍ତି । ଏହା ‘ଗୋପାଳକୃଷ୍ଣ’ ଭାବରେ ତାଙ୍କର ମାଧୁର୍ଯ୍ୟ ବେଶ । କିନ୍ତୁ ପୂର୍ଣ୍ଣିମା ଦିନ ‘ଦ୍ୱାରକାକୃଷ୍ଣ’ ଭାବରେ ସେ ଐଶ୍ୱର୍ଯ୍ୟ ଭାବ ପ୍ରକାଶ କରିଥାନ୍ତି । ଏଣୁ ଏହି ଦିନର ବେଶ ‘ରାଜରାଜେଶ୍ୱର ବେଶ’ । କିନ୍ତୁ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଯେଉଁ ସୁନା ବେଶ ହୁଏ, ସେ ବେଶର ନାଆଁ ‘ବଡ଼ତଢ଼ାଉ ବେଶ’ ।
ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି।
ସୁନାବେଶର ଇତିହାସ :
ଶିଳାଲେଖରେ ଉଲ୍ଲେଖ ରହିଛି ରାଜା ଅନଙ୍ଗଭୀମ ଦେବ (୧୨୧୧-୧୨୩୮) ଓଡ଼ିଆଙ୍କ ପରମାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରଦେବତାରୂପେ ଘୋଷଣା କରିଥିଲେ । ରାଜା ମହାରାଜାମାନେ ପ୍ରଭୁଙ୍କ ଆଦେଶ ବାହକ ସେବକ ରୂପେ ସେବା କରୁଥିଲେ । କିଛି ରାଜା ମହାପ୍ରଭୁଙ୍କୁ ଓଡ଼ିଶାର ରାଜା ରୂପେ ଘୋଷଣାକରି ରାଜଭିଷେକ ମଧ୍ୟ କରିଥିଲେ । କିଛି ଗବେଷକଙ୍କ ମତରେ ରାଜା ଅନଙ୍ଗଭୀମ ଦେବ ପବିତ୍ର ଆଷାଢ଼ ଏକାଦଶୀ ତିଥିରେ ସୁନାବେଶ କରାଇଥିଲେ । ଅନ୍ୟ କେତେ ଗବେଷକଙ୍କ ମତରେ ରଥଉପରେ ସୁନାବେଶ ବଡ଼ତଢାଉଙ୍କ ପରାମର୍ଶରେ ରାଜା କରେଇଥିଲେ । ବଡ଼ତଢାଉ ବେଶ ମତରେ ରାଜା କପିଳେନ୍ଦ୍ର ଦେବ ୧୪୬୦ରେ ଦକ୍ଷିଣ ବିଜୟରୁ ଫେରିବା ବେଳେ ୧୬ଟି ହାତୀ ପିଠିରେ ବୋଝେଇ ସୁନାଅଳଙ୍କାର ଆଣିଥିଲେ । ଏହାକୁ ମହାପ୍ରଭୁଙ୍କୁ ସମର୍ପଣ କରିଥିବା ନେଇ ଜୟବିଜୟ ଦ୍ୱାରସ୍ଥିତ ଶିଳାଲେଖରେ ସୂଚନା ରହିଛି । ଅଳଙ୍କାର ସମ୍ପର୍କରେ ରାଜା ବଡ଼ତଢାଉଙ୍କ ପରାମର୍ଶ ନେଇଥିଲେ । ରତ୍ନବେଦିରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗରେ ଭକ୍ତ ଦର୍ଶନ କରି ପାରୁନାହାନ୍ତି ତେଣୁ ରଥ ଉପରେ ସବୁବର୍ଗର ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ କରେଇବାକୁ ବଡ଼ତଢାଉ ରାଜାଙ୍କୁ ବିନତି କରିଥିଲେ । ଦକ୍ଷିଣାଭିମୁଖୀ ଯାତ୍ରାରେ ତିନି ରଥ ସିଂହଦ୍ୱାରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରିବାକୁ ରାଜା ଅନୁମତି ଦେଇଥିଲେ । ବହୁବର୍ଷ ଧରି ରଥ ଉପରେ ସୁନାବେଶରେ ମହାପ୍ରଭୁଙ୍କୁ ୧୩୮ ପ୍ରକାର ରତ୍ନ ଖଚିତ ସ୍ୱର୍ଣ୍ଣାଳଙ୍କାର ଲାଗି ହେଇଥିଲା । ଏବେ ଏଥିରେ କିଛି ପରିବର୍ତ୍ତନ ହୋଇଛି । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ରଥ ଉପରେ ସୁନାବେଶ ପାଇଁ ଭଣ୍ଡାର ଗୃହରୁ ପାଳିଆ ଭଣ୍ଡାରି ମେକାପ, ପାଳିଆ ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ ପୋଲିସ ଓ ଶ୍ରୀମନ୍ଦିର ଅଫିସରଙ୍କ ଉପସ୍ଥିତିରେ ବେଶ ଅଳଙ୍କାର ଗଣତି କରି ଆଣିଥାନ୍ତି । ତିନି ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରମୁଖ ସୁନାବେଶ ଆଭୁଷଣ ଲାଗି କରିଥାନ୍ତି ।
ଶ୍ରୀଜୀଉମାନଙ୍କ ଅଳଙ୍କାର:
ଶ୍ରୀଜଗନ୍ନାଥ
୧- କିରିଟ
୨- ଶ୍ରୀପୟର
୩- ଶ୍ରୀଭୁଜ
୪- ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ
୫- ଓଢିଆଣୀ
୬- ଚନ୍ଦ୍ରସୂର୍ଯ୍ୟ
୭- ଆଡ଼କାନି
୮- ଘାଗଡ଼ା ମାଳି
୯- କଦମ୍ବ ମାଳି
୧୦- ବାହାଡ଼ା ମାଳି
୧୧- ତାବିଜ ମାଳି
୧୨- ସେବତୀ ମାଳି
୧୩- ତିଳକ
୧୪- ଚନ୍ଦ୍ରିକା
୧୫- ଅଳକା
୧୬- ଝୋବାକଣ୍ଠି
୧୭- ତ୍ରିଖଣ୍ଡିକା
୧୮- କମରପଟି
ଶ୍ରୀବଳଭଦ୍ର
୧- କିରିଟ
୨- ଶ୍ରୀପୟର
୩- ଶ୍ରୀଭୁଜ
୪- ହଳ ଓ ମୂଷଳ
୫- ଓଢିଆଣୀ
୬- କୁଣ୍ଡଳ
୭- ଚନ୍ଦ୍ରସୂର୍ଯ୍ୟ
୮- ଆଡ଼କାନି
୯- ଘାଗଡ଼ା ମାଳି
୧୦- କଦମ୍ବ ମାଳି
୧୧- ବାହାଡ଼ା ମାଳି
୧୨- ବାଘନଖ ମାଳି
୧୩- ସେବତୀ ମାଳି
୧୪- ତିଳକ
୧୫- ଚନ୍ଦ୍ରିକା
୧୬- ଅଳକା
୧୭- ଝୋବାକଣ୍ଠି
୧୮- ତ୍ରିଖଣ୍ଡିକା
୧୯- କମରପଟି
ଦେବୀସୁଭଦ୍ରା
୧- କିରୀଟ
୨- ଓଢ଼ିଆଣୀ
୩- କାନ
୪- ଚନ୍ଦ୍ରସୂର୍ଯ୍ୟ
୫- ଘାଗଡ଼ା ମାଳି
୬- କଦମ୍ବ ମାଳି
୭- ସେବତୀ ମାଳି
୮- ତଗଡ଼ି-୨ଟି