ଭୁବନେଶ୍ଵର: ଦିନକୁ ଦିନ ସବୁ ସୀମା ଟପି ଯାଉଛନ୍ତି ସେବାୟତ। କୋଟି କୋଟି ଲୋକଙ୍କ ଭୋକ ମେଣ୍ଟାଉଥିବା ମହାପ୍ରଭୁଙ୍କୁ ଖଡା ଖଡା ଉପାସ ରଖୁଛନ୍ତି। କେତେ ବେଳେ ଆପୋଷ କଳି ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ କଲେଣି ତ, ଆଉ କେତେବେଳେ ବର୍ଷ ବର୍ଷ ଧରି ବନ୍ଦ୍ ପଡୁଛି ମହାପ୍ରଭୁଙ୍କ ଯାନିଯାତ୍ରା ଏବଂ ବିଭିନ୍ନ ପରମ୍ପରା। ସେହିପରି ଏଥର ବି ପୁଣି ଥରେ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରର ଆଉ ଏକ ପରମ୍ପରାକୁ ବନ୍ଦ କରିଛନ୍ତି। କାରଣ ସେବାୟତଙ୍କ ବିବାଦ ଯୋଗୁ ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଗତକାଲି ହୋଇପାରିଲାନି। ଯାହାଫଳରେ ନୀତିକାନ୍ତି ଅଧାରୁ ଅଟକିଛି ଆଉ ଏହା ପରେ କାଲି ରାତିରୁ ବନ୍ଦ ରହିଛି କପିଳେଶ୍ୱରଙ୍କ ସମସ୍ତ ନୀତିକାନ୍ତି।
ଦୀର୍ଘ ୧୨ବର୍ଷ ଧରି ବନ୍ଦ ରହିଥିବା ଏହି ପାରମ୍ପରିକ ଯାତ୍ରାକୁ ପୁଣିଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ସେବାୟତଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଯାତ୍ରା ସମ୍ପନ୍ନ ହୋଇପାରିଲା ନାହିଁ । ଯାତ୍ରା ପରମ୍ପରା ଅନୁଯାଇ ମହାପ୍ରଭୁ ଲିଙ୍ଗରାଜ କପିଳଶ୍ୱର ମନ୍ଦିରକୁ ଯାଇପାରିଲେନି। ଏନେଇ କପିଳେଶ୍ୱର ମନ୍ଦିରରେ ଗତରାତିରୁ ସମସ୍ତ ନୀତିକାନ୍ତି ବନ୍ଦ ରହିଛି। ଦୁଇ ସେବକ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଲଗାତାର ୧୨ ତମ ବର୍ଷ ପାଇଁ ଏହି ଯାତ୍ରା ସ୍ଥଗିତ ରହିଛି। ଯାହା ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।
ଆଜି ସକାଳୁ ଠାକୁରଙ୍କ ମଙ୍ଗଳ ଆଳତୀ, ଅବକାଶ, ମଇଲମ, ତଡ଼ପ ଲାଗି ଆଦି ଆଦି ନୀତି ହୋଇନି। ଖୁଣ୍ଟିଆ ସେବାୟତମାନେ କୌଣସି ନୀତି କରିନଥିବାବେଳେ ମଲିଆମାନେ ମଧ୍ୟ ସେବାକାର୍ଯ୍ୟ କରିନାହାନ୍ତି। ଫଳରେ କପିଳେଶ୍ୱର ଉପାସରେ ରହିଛନ୍ତି। ପ୍ରଶାସନ ନକହିଲା ପର୍ଯ୍ୟନ୍ତ ନୀତିକାନ୍ତି ବନ୍ଦ ରହିବ ବୋଲି କହିଛନ୍ତି ମଲିଆ ସେବାୟତ।
ତେବେ ଖୋର୍ଦ୍ଧା କଲେକ୍ଟର ଅମୃତ ଋତୁରାଜଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ବିବାଦର ସମାଧାନ ପାଇଁ ଲିଙ୍ଗରାଜ ମନ୍ଦିରରେ ଦୁଇ ସେବକ ଗୋଷ୍ଠୀଙ୍କ ସହିତ ଅନେକ ଆଲୋଚନା କରିଥିଲେ। ତଥାପି, ପ୍ରଶାସନ ବିବାଦର ସମାଧାନ କରିବାରେ ବିଫଳ ହୋଇଥିଲା। କାରଣ ଉଭୟ ପକ୍ଷ – ଖୁଣ୍ଟିଆ ଏବଂ ମାଲିଆ ସେବକମାନେ – ସେମାନଙ୍କ ଜିଦ୍ଦିରୁ ହଟି ନଥିଲେ। ଯାହା ଲଗାତର ଦ୍ଵାଦଶ ଥର ପାଇଁ ମହାପ୍ରଭୁଙ୍କ ପରମ୍ପରାରେ ବାଧା ସୃଷ୍ଟି କରିଛି।
ତେବେ କହିରଖୁଛୁ, ହାଣ୍ଡି ଭଙ୍ଗା ଯାତ୍ରା ଅବସରରେ, ‘ଶନି’ ଗ୍ରହର ପ୍ରଭାବରୁ ମୁକ୍ତି ପାଇବା ପାଇଁ ପ୍ରଭୁ ଲିଙ୍ଗରାଜଙ୍କୁ ଏକ ଶୋଭାଯାତ୍ରା ମାଧ୍ୟମରେ ନିକଟବର୍ତ୍ତୀ କପିଳେଶ୍ୱର ମନ୍ଦିରକୁ ନିଆଯାଇଥାଏ। ଦେବୀ ପାର୍ବତୀ, ଦେବୀ ଦୁର୍ଗା ଏବଂ ଭଗବାନ ଅନନ୍ତ ବାସୁଦେବଙ୍କ ସମେତ ଅନ୍ୟ ଦେବତାମାନେ ଏକ କାଠ ପାଲକିରେ ପ୍ରଭୁ ଲିଙ୍ଗରାଜଙ୍କ ସହିତ ଥାଆନ୍ତି। ପୂଜାର ଏକ ଅଂଶ ଭାବରେ, ଭକ୍ତ ଏବଂ ପୁରୋହିତ କପିଳେଶ୍ୱର ମନ୍ଦିରରେ ନୂତନ ମାଟି ପାତ୍ର ସହିତ ପ୍ରସାଦ ପ୍ରସ୍ତୁତ କରନ୍ତି। ପ୍ରଭୁ ଲିଙ୍ଗରାଜ ମନ୍ଦିର ପରିସର ଛାଡି ଫେରିବା ପରେ ମାଟି ପାତ୍ରଗୁଡ଼ିକୁ ଭାଙ୍ଗି ଦିଆଯାଏ। ହେଲେ, ଖୁଣ୍ଟିଆ ଏବଂ ମାଲିଆ ସେବାୟତମାନେ ଅନ୍ୟ ପକ୍ଷକୁ ସାମିଲ ନକରି କେବଳ ଏହି ପୂଜା କରିବାକୁ ଜିଦ୍ ଧରିଥିବାରୁ କର୍ତ୍ତୃପକ୍ଷ ହାଣ୍ଡି ଭଙ୍ଗା ଯାତ୍ରା କରିପାରିଲେ ନାହିଁ।
ଅଧିକ ପଢନ୍ତୁ: ଗତ ବର୍ଷ ଶ୍ରୀମନ୍ଦିରକୁ ମିଳିଛି ୩ କିଲୋ ସୁନା, ୩୩ କିଲୋ ରୁପା, ୧୮ କୋଟି ଟଙ୍କା