କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ଲଜ୍ୟା ଘଟଣାରେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ନିର୍ଦ୍ଦେଶ ରହିଛି। ସପ୍ତମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାକୁ ଗୁରୁତର ସହ ନେଇ ଏହାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ନିର୍ଦ୍ଦେଶ ପାଇବା ପରେ କ୍ରାଇମବ୍ରାଞ୍ଚ ଏହି ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହାର ତଦନ୍ତ ହେବ। ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସ୍ୱତନ୍ତ୍ର PP ନିୟୋଜିତ କରାଯିବ। ଏହି ମାମଲାରେ ୪ଜଣ ଶିକ୍ଷକ ଓ ଜଣେ ପିଅନ ଗିରଫ ହୋଇଛନ୍ତି। ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଗତକାଲି ରାତିରେ ଘଟଣାରେ ସହଯୋଗ କରିଥିବା ଶିକ୍ଷୟିତ୍ରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ, ଆଜି ସକାଳୁ ଅନ୍ୟ ୩ ଶିକ୍ଷକ ଏବଂ ଜଣେ ପିଅନକୁ ମଧ୍ୟ କୋର୍ଟ ଚାଲାଣ କରାଯାଇଛି। ତେବେ ଗତକାଲି ଘଟଣାର ତଦନ୍ତ କରିବାକୁ ଯାଇ ରାଜକନିକା ପୋଲିସ ପ୍ରଥମେ ୫ ଜଣ ଅଭିଯୁକ୍ତଙ୍କୁ ଆଣି ପଚାଉଚରା କରିବା ସହ ଅଟକ ରଖିଥିଲା। ପରେ ସନ୍ଧ୍ୟାରେ ଏସପି ନିଜେ ମଧ୍ୟ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ। ସାଇଣ୍ଟିଫିକ ଟିମ ମଧ୍ୟ ସ୍କୁଲର ଲ୍ୟାବ ରୁମ ରେ ଲାଗିଥିବା ସିସିଟିଭିର ହାର୍ଡ ଡିସ୍କ ଜବତ କରିଥିଲେ।
ଅଭିଯୋଗ ମୁତାବିକ, ନାବାଳିକା ଛାତ୍ରୀଙ୍କୁ ଗତ ୪ ବର୍ଷ ଧରି ଦୁଷ୍କର୍ମ କରୁଥିଲେ ସ୍କୁଲର ୪ ଶିକ୍ଷକ ଓ ଜଣେ ପିଅନ। ଜଣେ ଶିକ୍ଷୟିତ୍ରୀ ଏମାନଙ୍କୁ ସହଯୋଗ କରୁଥିଲେ। ଚତୁର୍ଥରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରଖିଥିଲେ ଶାରୀରିକ ସମ୍ପର୍କ। ସାଇନ୍ସ ଲ୍ୟାବରେ କ୍ୟାମେରା ଅଫ୍ କରି ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଘଟଣା ବାବଦରେ କାହାକୁ କହିଲେ ସେହି ସ୍କୁଲରେ ପଢ଼ୁଥିବା ସାନ ଭାଇକୁ ମାରିଦେବାକୁ ଧମକ ଦେଉଥିଲେ। ଯାହାକୁ ନେଇ ନିରବ ରହୁଥିଲେ ଛାତ୍ରୀ ଜଣଙ୍କ।
ଗତ ଜାନୁୟାରୀ ୧୪ ତାରିଖରେ ଛାତ୍ରୀ ଜଣକ ଘଟଣା ସମ୍ପର୍କରେ ପରିବାରକୁ ଜଣାଇଥିଲେ। ଏନେଇ ପରିବାର ଲୋକ ୧୮ ତାରିଖରେ ଜିଲା ଶିଶୁ ମଙ୍ଗଳ କମିଟି ଅଧକ୍ଷାଙ୍କୁ ଭେଟି ଅଭିଯୋଗ କରିଥିଲେ। ୧୯ ତାରିଖରେ ଶିଶୁ ମଙ୍ଗଳ କମିଟିର ଏକ ଟିମ୍ ସ୍କୁଲରେ ପହଞ୍ଚି ତଦନ୍ତ କରିଥିଲେ। ତଦନ୍ତ ପରେ ସତ ସାମ୍ନାକୁ ଆସିଥିଲା।
ଅଧିକ ପଢନ୍ତୁ: ରାଜକନିକା ଲଜ୍ଜା: ଗୋଟିଏ ଛାତ୍ରୀକୁ ଗଣଦୁଷ୍କର୍ମ କଲେ ୪ ଶିକ୍ଷକ, ସାହାଯ୍ୟ କରୁଥିଲେ ସହାୟିକା