ମୁମ୍ବାଇ: ପୁଣିଥରେ ହସପିଟାଲରେ ଭର୍ତ୍ତି ହେଲେ ଏନସିପି-ଏସପି ନେତା ଶରଦ ପାୱାର। ଦୁର୍ବଳତା ଅନୁଭବ କରିବାରୁ ତାଙ୍କୁ ପୁଣେର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ଗତ କିଛିଦିନ ତଳେ ହସପିଟାଲରେ ଭର୍ତ୍ତି ହୋଇଥିଲେ ଶରଦ ପାୱାର।
ହସ୍ପିଟାଲର ମୁଖ୍ୟ ହୃଦରୋଗ ବିଶେଷଜ୍ଞ ଡାକ୍ତର ପରଭେଜ୍ ଗ୍ରାଣ୍ଟ କହିଛନ୍ତି ଯେ ଡିହାଇଡ୍ରେସନ୍ ଯୋଗୁଁ ତାଙ୍କୁ ତରଳ ପଦାର୍ଥ ଦିଆଯାଉଛି। ଡାକ୍ତରମାନେ କହିଛନ୍ତି ଯେ ସେ ଦୁଇ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଅବଜରଭେସନରେ ରହିବେ ଏବଂ ତା’ପରେ ତାଙ୍କୁ ଡିସଚାର୍ଜ କରାଯାଇପାରେ।ପୂର୍ବରୁ ଫେବୃଆରୀ ୯ ତାରିଖରେ ମଧ୍ୟ ତାଙ୍କୁ ଛାତି ସଂକ୍ରମଣ ଯୋଗୁଁ ସମାନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଫେବୃଆରୀ ୧୪ ତାରିଖରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।
ଶରଦ ପାୱାରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ନେଇ ଝିଅ ସୁପ୍ରିୟା ସୁଲେ ଏକ୍ସରେ ପୋଷ୍ଟ କରି କହିଛନ୍ତି, 'ବାବା ଆଗକୁ ଯାଞ୍ଚ ପାଇଁ ହାଇଡ୍ରେସନ ପାଇଁ ପୁଣେର ରୁବି ହସପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ'। ତେବେ ଶରଦ ପାୱାରଙ୍କ ପରିବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅତ୍ୟନ୍ତ ଚିନ୍ତିତ ହୋଇପଡିଛନ୍ତି। ବର୍ତ୍ତମାନ ତାଙ୍କୁ ବିଶେଷଜ୍ଞ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସା କରାଯାଉଛି। ତାଙ୍କର କ୍ରମାଗତ ଅବନତି ତାଙ୍କ ସମର୍ଥକ, ଦଳୀୟ ନେତା ଏବଂ କର୍ମୀଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି।
ଶରଦ ପାୱାର ୨୦୦୪ ମସିହାରେ ମୁଖ କର୍କଟ ରୋଗ ପାଇଁ ଅସ୍ତ୍ରୋପଚାର କରିଥିଲେ। ସେ ବର୍ଷ ବର୍ଷ ଧରି ଭାରତ ଏବଂ ଆମେରିକାରେ ଏହି ରୋଗ ସହିତ ଜଡିତ ଅନେକ ଅସ୍ତ୍ରୋପଚାର କରିଛନ୍ତି। ତା’ ପରେ ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇଥିଲେ।
ଅଧିକ ପଢନ୍ତୁ: ବିଗିଡ଼ିଲା ଶରଦ ପାୱାରଙ୍କ ସ୍ୱାସ୍ଥ୍ୟ, ପୁତୁରା ଅଜିତଙ୍କ କର୍ମରେ ଯୋଗ ଦେବାକୁ ଯାଇଥିଲେ ବାରମତୀ