ଝାରସୁଗୁଡା: ଝାରସୁଗୁଡା ସଦର ଥାନା ସମ୍ମୁଖରେ ଆଜି ଭୋର ସମୟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦ୍ରୁତଗାମୀ ଟ୍ରଲର ଓ ପୋଲିସ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ ପ୍ରାଣହାନି ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଭୋର ସକାଳେ ବିପରୀତ ଦିଗରୁ ଆସୁଥିବା ଏକ ବେପରୁଆ ଟ୍ରଲର ସହ ପୋଲିସ ବୋଲେରୋ ମୁହାଁ ମୁହିଁ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକ ଓ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଗାଡି ଭିତରୁ ମୃତଦେହ ଗୁଡିକୁ ବାହାର କରିଥିଲେ। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
ମୃତକ ପୋଲିସ ୫ଜଣ ହେଲେ କାଶୀରାମ ଭୋଇ, ନିରଞ୍ଜନ କୁଜୁର (ଡ୍ରିଲ ସବ-ଇନ୍ସପେକ୍ଟର), ଦେବଦତ୍ତ ସା (APR), ଲିଙ୍ଗରାଜ ଧୂରୁଆ (APR ହାବିଲଦାର), ଭକ୍ତବନ୍ଧୁ ମିର୍ଧା (ହୋମ ଗାର୍ଡ) । ଆହତ ୩ଜଣ ହେଲେ ଦୁବରାଜ ମିରିଗ (APR), ଆକାଶ ନାଏକ (APR), ରାଜୀବ ଭରସାଗର (ସର୍ଜେଣ୍ଟ) । ଖବର ପ୍ରସାରିତ ହେବା ପରେ ପୋଲିସ ବିଭାଗ ଓ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଉଚ୍ଚପଦସ୍ଥ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଟ୍ରଲର ଚାଳକଙ୍କୁ ଅଟକ ରଖାଯାଇଥିବାବେଳେ ଗାଡିଟିକୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି।