ଭୁବନେଶ୍ୱର: ରାଜ୍ୟ ସରକରା ଆଗତ କରିଥିବା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟରେ ପର୍ଯ୍ୟଟନ କ୍ଷେତ୍ର ପାଇଁ ୮୨୦ କୋଟି ଟଙ୍କାର ଆବଣ୍ଟନ କରିଛନ୍ତି । ପର୍ଯ୍ୟଟନର ଭିତ୍ତିଭୂମି ବିକାଶ, ଗୋଷ୍ଠୀ ସଶକ୍ତିକରଣ ଏବଂ ସ୍ଥାୟୀ ପର୍ଯ୍ୟଟନ ଉପରେ ଧ୍ୟାନ ଦେଇଛନ୍ତି ସରକାର । ସେହିପରି ପ୍ରଥମ ଥର ପାଇଁ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଆରମ୍ଭ କରାଯିବ ।
ସେହିପରି ବୌଦ୍ଧ ଐତିହ୍ୟକୁ ପ୍ରୋତ୍ସାହିତ କରିବା ସହିତ ଉଦୟଗିରି, ରତ୍ନଗିରି ଓ ଲଳିତଗିରିକୁ ପୁନରୁଦ୍ଧାର କରି ଓଡ଼ିଶାରେ ବୌଦ୍ଧ ସର୍କିଟକୁ ବିଶେଷ ଭାବରେ ବିକଶିଚତ କରିବାକୁ ଲକ୍ଷ୍ୟ ରଖାଯାଇଛି । ସନ୍ତୁଳିତ ଓ ସମବେଶୀ ଦୃଷ୍ଟି ଭଙ୍ଗୀରେ ପର୍ଯ୍ୟଟନ ଭିତ୍ତିଭୂମିର ସମନ୍ୱିତ ବିକାଶ ଓ ପରିଚାଳନା ପାଇଁ ୩୫୫ କୋଟି ଟଙ୍କା ବ୍ୟୟ କରିବାକୁ ପ୍ରସ୍ତାବ ରଖାଯାଇଛି । ଦେଓମାଳି, ଧଉଳି, ଚିଲିକା, ଖଣ୍ଡଗିରି-ଉଦୟଗିରି, ଖିଚିଂ, ସାତକୋଶିଆ ଓ ଶିମିଳିପାଳ ଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ପାଇଁ ସମନ୍ୱିତ ଯୋଜନା ପ୍ରସ୍ତୁତ କରି ଆଗାମୀ ୫ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ । ଗୋପାଳପୁର, ପାରାଦୀପ ଇତ୍ୟାଦି ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ଦେବା ପାଇଁ ବିକାଶ କରାଯିବ । ସେହିପରି ୧୦ ଟି ଜିଲ୍ଲାରେ ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କମ୍ଲେକ୍ସ ନିର୍ମାଣ କରାଯିବ ।
ସେହିପରି ପ୍ରଥମ ଥର ପାଇଁ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଆରମ୍ଭ କରାଯିବ । ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରୁ ଶ୍ରୀଜଗନ୍ନାଥ ଦର୍ଶନ ସ୍ୱତନ୍ତ୍ର ବସରେ ଗରିବ ଭକ୍ତମାନେ ମାଗଣାରେ ପୁରୀ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ । ଏଥିପାଇଁ ୩୦ କୋଟି ବ୍ୟୟ ବରାଦ କରାଯାଇଛି ।
ଘରୋଇ କ୍ଷେତ୍ର ପୁଞ୍ଜିନିବେଶ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ପର୍ଯ୍ୟଟନ ନୀତି, ୨୦୨୨ ଅଧୀନରେ ସବସିଡି ବିତରଣ ପାଇଁ ୭୦ କୋଟି ଟଙ୍କାର ପ୍ରସ୍ତାବ ରହିଛି । ପର୍ଯ୍ୟଟନସ୍ଥଳୀଗୁଡ଼ିକର ସୁରକ୍ଷା, ନିରାପତ୍ତା ଓ ପରିମଳ ବ୍ୟବସ୍ଥା ପାଇଁ ୫୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ୩୦ଟି ସ୍ଥାନରେ ମହିଳା ପର୍ଯ୍ୟଟନ ମିତ୍ରମାନଙ୍କୁ ନିୟୋଜିତ କରାଯିବ ।