ଭୁବନେଶ୍ୱର: ମାଟ୍ରିମୋନିରେ ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ଠାରୁ ୨୨ ଲକ୍ଷ ଲୁଟି ନେଇଗଲେ ନକଲି ଡାକ୍ତର । ନକଲି ପେଷା ସହିତ ନକଲି ପରିଚୟ । ଏନେଇ ଭୁବନେଶ୍ୱର ପାହାଳ ଥାନାରେ ଅଭିଯୋଗ ହୋଇଛି । କମିଶନରେଟ୍ ପୋଲିସ ନକଲି ଡାକ୍ତର ରଞ୍ଜୀବ କୁମାର ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପୋଲିସ କମିଶନର ଏସ୍. ଦେବଦତ୍ତ ସିଂଙ୍କ ସୂଚନା ମୁତାବକ, ୨୦୨୧ରେ ନକଲି ଡାକ୍ତର ପ୍ରକାଶ ପ୍ରଧାନ ଓରଫ୍ ରଞ୍ଜୀବ ପ୍ରଧାନ ମାଟ୍ରିମୋନି ସାଇଟରେ ଏକ ପ୍ରୋଫାଇଲ୍ ଖୋଲିଥିଲେ । ପ୍ରୋଫାଇଲରେ ସେ ନିଜକୁ ଜଣେ ଡାକ୍ତର ବୋଲି ଲେଖିଥିଲେ । ପ୍ରକାଶ ପ୍ରଧାନ ବାହାରେ ଭଲ ଚାକିରି କରୁଥିବା ନିଜ ସାନଭାଇ ତୁଷାର ପ୍ରଧାନ ସହ ବିବାହ କରିବା ପାଇଁ ଜଣେ ଯୁବତୀଙ୍କ ଯୋଗାଯୋଗରେ ଆସିଥିଲେ । ସାନ ଭାଇ ତୁଷାର ରାୟଗଡ଼ା ଏସବିଆଇରେ ଡେପୁଟି ମ୍ୟାନେଜର ଥିବା ଯୁବତୀଙ୍କୁ କହିଥିଲେ । ଏହା ପରେ ଉକ୍ତ ଯୁବତୀଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଥିଲେ । ଏମିତିକି ଯୁବତୀଙ୍କ ବାପାଙ୍କ ସହିତ ପ୍ରକାଶ ଏବଂ ତୁଷାର କଥା ହୋଇଥିଲେ । ଏହା ପରେ ଟଙ୍କା ଲୁଟିବା ପାଇଁ ଜାଲ୍ ବୁଣିଥିଲେ । ପ୍ରଥମେ କୋଭିଡରେ ଟଙ୍କା ଦରକାର ଥିବା ନେଇ ଟଙ୍କା ମାଗିଥିଲେ । ସେହିପରି ବିଭିନ୍ନ ସମୟରେ ଟଙ୍କା ନେବା ଆରମ୍ଭ କରିଥିଲେ । ଏପରି ୨୨ ଲକ୍ଷ ଟଙ୍କା ନେଇଥିଲେ ।
କିନ୍ତୁ ପରବର୍ତ୍ତୀ ସମୟରେ ଆଉ ବିବାହ ପାଇଁ ଧରା ଛୁଆଁ ଦେଇ ନ ଥିଲେ । ଯୁବତୀ ଜଣକ ଏ ନେଇ ପାହାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଚଢ଼ଉ କରି ରଞ଼୍ଜୀବ ପ୍ରଧାନକୁ ଗିରଫ କରିଛି । ତଦନ୍ତ ବେଳେ ଜଣାପଡ଼ିଛି ଯେ ପ୍ରକାଶ ଏବଂ ତୁଷାର ନାମରେ ଜଣେ ବ୍ୟକ୍ତି ହିଁ ଥିଲେ ।