ଭୁବନେଶ୍ୱର: ଓଡ଼ିଶାକୁ ନାହିଁ ନିପା ଭୟ। ଏନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ନିର୍ଦ୍ଦେଶ ନଦେବା ଯାଏଁ ଓଡ଼ିଶାରେ କୌଣସି ଅସୁବିଧା ନାହିଁ।
ସୂଚନା ମୁତାବିକ, ପଶ୍ଚିମବଙ୍ଗରେ ନିପା ଭାଇରସରେ ଦୁଇ ଜଣ ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ହେଲେ ଏନେଇ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶନାମା ଜାରି କରି ନାହାନ୍ତି। ୨୦୨୩ ମାର୍ଗଦର୍ଶିକାକୁ ପାଳନ କରାଯାଉଛି। କେନ୍ଦ୍ର ନିର୍ଦ୍ଦେଶ ନ ଦେବା ଯାଏଁ ଓଡ଼ିଶାରେ କୌଣସି ଅସୁବିଧା ନାହିଁ।
ଓଡ଼ିଶାରେ ବର୍ତମାନ ସୁଦ୍ଧା କୌଣସି ନିପା ଭାଇରସ ରୋଗୀ ଚି଼ହ୍ନଟ ହୋଇନି। ଭାରତ ସରକାରଙ୍କ ଏକ ଟିମ୍ ପଶ୍ଚିମବଙ୍ଗ ଯାଇ କାମ କରୁଛନ୍ତି। ଓଡ଼ିଶା ସରକାର ବି କେନ୍ଦ୍ର ସହ ଯୋଗାଯୋଗରେ ଅଛନ୍ତି। ପଶ୍ଚିମବଙ୍ଗରର ମାତ୍ର ଦୁଇଟି ମାମଲା ଆସିଛି, ହେଲେ ବ୍ୟାପିବାର ଖବର ଆସିନାହିଁ। ଯେଉଁଥି ପାଇଁ ଓଡ଼ିଶାକୁ ବର୍ତ୍ତମାନ ଭୟ କରିବା ଦରକାର ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ପଶ୍ଚିମବଙ୍ଗରେ ନିପା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଓଡ଼ିଶାରେ ଏବେ ସତର୍କ ଘଣ୍ଟି ବାଜିଛି। ବିଶେଷକରି ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ସଂକ୍ରମିତ ଘୁଷୁରୀ, ବାଦୁଡିଙ୍କ ଠାରୁ ଏହି ଭୂତାଣୁ ମଣିଷର ଶରୀର ଆସିବା ପରେ ଲୋକଙ୍କ ମଧ୍ୟରେ କ୍ଷୀପ୍ର ଗତିରେ ବ୍ୟାପିଥାଏ। ତେଣୁ ସଚେତନ ଓ ସତର୍କତା ହିଁ ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାଇଛନ୍ତି। ବାହାରୁ ଫେରୁଥିବା ଲୋକେ ଯଦି ଦୀର୍ଘଦିନ ଧରି ଥଣ୍ଡା, ଜ୍ୱର, ମୁଣ୍ଡ ବିନ୍ଧା ଆଦି ରୋଗରେ ପୀଡ଼ିତ ରହିବେ, ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।