ଭୁବନେଶ୍ୱର: ରାଜ୍ୟର ମାର୍ଚ୍ଚରେ ଆରମ୍ଭ SIR ବା ଭୋଟର ତାଲିକା ସଂଶୋଧନ। ଏସ୍ଆଇଆର୍ ପ୍ରକ୍ରିୟାକୁ ଆହୁରି ସରଳ କରିବା ପାଇଁ ୨୦୦୨ ଓ ୨୦୨୫ ଭୋଟର ତାଲିକା ମ୍ୟାପିଂ ଜୋରସୋରରେ ଚାଲିଛି। ଜାନୁଆରୀ ଶେଷ ସୁଦ୍ଧା ଭୋଟର ତାଲିକା ମ୍ୟାପିଂ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ୧୨ଟି ରାଜ୍ୟରେ ଏସ୍ଆଇଆର୍ କାମ ଚାଲିଛି, ଯାହା ଫେବ୍ରୁଆରୀରେ ସରିବ। ଏହା ପରେ ଓଡ଼ିଶାର ପାଳି। ଏହି ଅଭିଯାନରେ ମାସେ ଯାଏଁ ଫର୍ମ ସଂଗ୍ରହ ଚାଲିବ।
ତା’ପରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହା ଉପରେ ଆପତ୍ତି, ଅଭିଯୋଗ ଆହ୍ୱାନ କରାଯିବ। ଶେଷରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏସ୍ଆଇଆର୍ ପୂରା ପ୍ରକ୍ରିୟା ମୋଟ ୩ ମାସ ଧରି ଚାଲିବ। ଜୁନ୍ ଶେଷ ସୁଦ୍ଧା ସବୁ ସରିଲେ ଜୁଲାଇ ବେଳକୁ ଚୂଡ଼ାନ୍ତ ଭୋଟର ପ୍ରକାଶ ପାଇବ।
୨୦୦୨ରେ ଶେଷ ଥର ପାଇଁ ଓଡ଼ିଶାରେ ଏସ୍ଆଇଆର୍ କରାଯାଇଥିଲା। ୨୦୦୨ ଭୋଟର ତାଲିକା ଓ ୨୦୨୫ ଭୋଟର ତାଲିକାକୁ ସମ୍ମିଳିତ କରି ଭୋଟରଙ୍କୁ ମ୍ୟାପିଂ କରାଯାଉଛି। ଏବେ ସୁଦ୍ଧା ୭୦% ଭୋଟରଙ୍କର ମ୍ୟାପିଂ ସରିଛି। ଛତିଶଗଡ଼ରେ ୯୭% ଭୋଟରଙ୍କର ମ୍ୟାପିଂ କରାଯାଇଥିଲା। ଓଡ଼ିଶାରେ ଅନ୍ୟୁନ ୯୫% ଭୋଟର ମ୍ୟାପିଂ କରିବାକୁ ଲକ୍ଷ୍ୟ ରହିଛି। ଏହି ମ୍ୟାପିଂ ଯୋଗୁ ଏସ୍ଆଇଆର ପ୍ରକ୍ରିୟା ଆହୁରି ସରଳ ହେବ।
୨୦୦୨ରେ ଯେଉଁମାନେ ଭୋଟର ଥିଲେ, ସେମାନଙ୍କୁ କିଛି ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ । ସେମାନଙ୍କର ସ୍ୱତଃ ମ୍ୟାପିଂ ହୋଇଯିବ। ଯେଉଁମାନଙ୍କର ନାମ ୨୦୦୨ ଭୋଟର ତାଲିକାରେ ନଥିଲା, ଯଦି ସେମାନଙ୍କ ବାପା, ଜେଜେ ଓ ପରିବାର ସଦସ୍ୟଙ୍କ ନାମ ଥିଲା, ସେମାନଙ୍କ ପାଇଁ ମଧ୍ୟ କିଛି ଅସୁବିଧା ହେବନି। ଅନ୍ୟ ରାଜ୍ୟରେ ପରିବାର ସଦସ୍ୟଙ୍କ ନାମ ଥିଲେ ମଧ୍ୟ କିଛି ସମସ୍ୟା ହେବନି। ଯେଉଁମାନଙ୍କର ମ୍ୟାପିଂ ହୋଇଯିବ, ସେମାନଙ୍କୁ ଆଉ କିଛି ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ। ଯେଉଁ ଭୋଟରଙ୍କର ମ୍ୟାପିଂ ହୋଇପାରିଲା ନାହିଁ, ସେଥିପାଇଁ ଆବାସିକ ପ୍ରମାଣପତ୍ର(ରେସିଡେଣ୍ଟ ପ୍ରମାଣପତ୍ର) ଓ ଜନ୍ମ ପ୍ରମାଣପତ୍ର ଦେବାକୁ ହେବ। କୌଣସି ଭାରତୀୟ ଏସ୍ଆଇଆର୍ ପ୍ରକ୍ରିୟାରେ ଭୋଟର ତାଲିକାରୁ ବାଦ୍ ପଡ଼ିବେ ନାହିଁ।