କଟକ: ମାନ୍ୟବର ଉଚ୍ଚ ଅଦାଲତ ଶାରୀରିକ ସମ୍ପର୍କକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଜଣେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଦୀର୍ଘ ଦିନର ଶାରୀରିକ ସମ୍ପର୍କକୁ "ଜବରଦସ୍ତି' ବୋଲି କୁହାଯାଇ ପାରିବ ନାହିଁ । ହାଇକୋର୍ଟ ବିଚାରପତି ରାଧାକୃଷ୍ଣ ପଟ୍ଟନାୟକ ଏକ ମାମଲାରେ ଶୁଣାଣି ସମୟରେ ଏହି ରାୟ ଶୁଣାଇଛନ୍ତି । ଏହା ଏ ସମ୍ପର୍କିତ ମାମଲାରେ ନିମ୍ନ ଅଦାଲତ ଦ୍ୱାରା ଦିଆଯାଇଥିବା ଦଣ୍ଡାଦେଶକୁ ସଂଶୋଧନ କରିଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନାରେ ହୋଇଥିବା ଏକ ମାମଲାର ଉଚ୍ଚ ଅଦାଲତ ଶୁଣାଣି କରିଛନ୍ତି । ୨୦୦୬ରେ ତରଭା ଥାନାରେ ପୀଡ଼ିତା ମହେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ନାମକ ନାମରେ ଜୋର ଜବରଦସ୍ତି ସମ୍ପର୍କ ରଖି ଗର୍ଭପାତ କରାଇବାକୁ ବାଧ୍ୟ କରିଥିବା ଅଭିଯୋଗ କରିଥିଲେ । ମହେନ୍ଦ୍ର ପୀଡ଼ିତାଙ୍କୁ ଛୁରି ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ । ବିବାହର ପ୍ରତିଶ୍ରୁତି ପରେ ଗର୍ଭପାତ କରାଇବାକୁ ବାଧ୍ୟ କରିଥିଲେ । ମହେନ୍ଦ୍ର ଦେଇଥିବା ଗର୍ଭପାତ ଔଷଧକୁ ଖାଇ ସେ ଗୁରୁତର ହୋଇଥିବା ପୀଡ଼ିତା ଜଣକ ଅଭିଯୋଗ ଆଣିଥିଲେ । ଏହି ମାମଲାରେ ନିମ୍ନ ଅଦାଲତ ମହେନ୍ଦ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ।
ପରବର୍ତ୍ତୀ ସମୟରେ ଅଭିଯୁକ୍ତ ମହେନ୍ଦ୍ର ପ୍ରଧାନ ତଳ କୋର୍ଟଙ୍କ ରାୟ ବିରୁଦ୍ଧରେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ବିଚାରପତି ରାଧାକୃଷ୍ଣ ପଟ୍ଟନାୟକ ମାମଲାର ଶୁଣାଣି କରି କହିଛନ୍ତି ଯେ ପୀଡ଼ିତା ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ଅଭିଯୁକ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏ ନେଇ ସେ କାହାକୁ କିଛି ଜଣାଇ ନଥିଲେ । ଦୀର୍ଘ ଦିନ ଧରି ରଖିଥିବା ସମ୍ପର୍କକୁ "ଜବରଦସ୍ତି' କୁହାଯାଇ ପାରିବ ନାହିଁ । ସେହିପରି ପୀଡ଼ିତାଙ୍କ ସ୍କୁଲ ରେକର୍ଡ ଅନୁସାରେ ସେ ନାବାଳିକା ମଧ୍ୟ ନ ଥିଲେ । ତାଙ୍କୁ ସେତେବେଳେ ୧୯ ବର୍ଷ ହୋଇଥିଲା । ତେଣୁ ଏହା ଏକ ଜବରଦସ୍ତି ଘଟଣା ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ତେବେ ଗର୍ଭପାତ ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି ଏବଂ ଅଭିଯୁକ୍ତ ମହେନ୍ଦ୍ର ପୀଡ଼ିତାଙ୍କୁ ଗର୍ଭପାତ ଔଷଧ ଖାଇବାକୁ ଦେଇଥିବା ମଧ୍ୟ ପ୍ରମାଣିତ ହୋଇଛି । ତେଣୁ ହାଇକୋର୍ଟ ମହେନ୍ଦ୍ରଙ୍କ ବିରୁଦ୍ଧରେ ଆସିଥିବା ବଳାତ୍କାର ଅଭିଯୋଗକୁ ଖାରଜ କରିଛନ୍ତି । ତେବେ ଅନ୍ୟାନ୍ୟ ଅପରାଧ ପାଇଁ ତାଙ୍କୁ ଦଣ୍ଡିତ କରିଛନ୍ତି । ତେବେ ମାମଲାଟି ଦୀର୍ଘ ବର୍ଷ ହୋଇସାରିଥିବାରୁ ମହେନ୍ଦ୍ର ଜେଲ ଦଣ୍ଡାଦେଶ ପୂରଣ କରିଥିବାରୁ ହାଇକୋର୍ଟ ମାମଲାର ଅନ୍ତ ଘଟାଇଛନ୍ତି ।