ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଲୋକଗୀତ ଗାୟିକା ତଥା ଘୁଡ଼ୁକା ବାଦ୍ୟ କଳାକାର କୁନି ଛତ୍ରିଆଙ୍କ ପରଲୋକ ଘଟିଛି । ସମ୍ବଲପୁର ବୁର୍ଲା ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି ।
ପରିବାର ଲୋକଙ୍କ ସୂଚନା ମୁତାବକ, କୁନି ଛତ୍ରିଆ ଗତ କିଛି ଦିନ ତଳେ ଏକ କାର୍ଯ୍ୟକ୍ରମରେ ଯୋଗା ଦେବାକୁ ଯାଇଥିବାବେଳେ ଅସୁସ୍ଥ ଅନୁଭବ କରିଥିଲେ । ସେଠାରୁ ଘରକୁ ଫେରିବା ପରେ ପରିବାର ଲୋକେ ତାଙ୍କୁ ପ୍ରଥମେ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତିନି ଦିନ ତଳେ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବାରୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କର ଫୁସଫୁସରେ ସମସ୍ୟା ଥିଲା । ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଥିଲେ । ତେବେ ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରି ନାହିଁ ।
ବଲାଙ୍ଗୀର ଜିଲ୍ଲାର ତୁଷୁରାରୁ ଯାଇ ରାଜ୍ୟ ତଥା ରାଜ୍ୟ ବାହାରେ ଘୁଡୁକା ବାଦ୍ୟରେ ଗୀତ ଗାଇ ବେଶ୍ ସୁନାମ ଅର୍ଜନ କରିଥିଲେ । ଲୋକଗୀତକୁ ଦେଶ ବିଦେଶରେ ପହଁଚାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତୁଷୁରା ଭଳି ଛୋଟ ଜାଗାରୁ ଯାଇ "ସାନ ବଡ ଘୁଡୁକା" ବାଦ୍ୟକୁ ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
କୁନି ଛତ୍ରିଆଙ୍କ ଦେହାନ୍ତରେ ପଶ୍ଚିମ ଓଡ଼ିଶାର କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ଅବେଳାରେ ଏଭଳି ତାଙ୍କର ଦେହାନ୍ତକୁ କେହି ସହଜରେ ଗ୍ରହଣ ମଧ୍ୟ କରି ପାରୁନାହାଁନ୍ତି । ତେବେ ତୁଷୁରାରେ ହିଁ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି ।