ଭୁବନେଶ୍ୱର: ଏଣିକି ପ୍ରତି ମାସରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯିବ । ବଳକା ଥିବା ବଜେଟକୁ କିପରି ଖର୍ଚ୍ଚ କରାଯିବ ଗୁରୁବାର ଖାରବେଳ ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
ଆଜି ବସିଥିବା ସଚିବ ସ୍ତରୀୟ ବୈଠକରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି, ବଜେଟ ଖର୍ଚ୍ଚ, ଖାଲି ଥିବା ପଦବୀ ପୂରଣ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । କେଉଁ ବିଭାଗର କେତେ ପଦବୀ ଖାଲି ରହିଛି ଏବଂ କ'ଣ ପଦକ୍ଷେପ ନିଆଯାଇଛି ସେ ନେଇ ଆଲୋଚନା ହୋଇଛି । ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରତି ଶନିବାର ଭିତ୍ତିଭୂମି ଉପରେ ସମୀକ୍ଷା ବୈଠକ ହେବ । ବର୍ତ୍ତମାନ ସୁଦ୍ଧା ବଜେଟର ୫୦ ପ୍ରତିଶତ ଖର୍ଚ୍ଚ ହୋଇଛି । ଆଉ ବଳକା ବଜେଟ ଆଗାମୀ ଅଢେଇ ମାସ ଭିତରେ ଦୃତ ଗତିରେ ଖର୍ଚ୍ଚ କରିବାକୁ ବୈଠକରେ ଗୁରୁତ୍ଵ ଦିଆଯାଇଛି । ସେହିପରି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଦେଇଥିବା ୧୫ସୂତ୍ରୀ ଉପରେ ବିଭାଗ ଗୁଡିକ କ'ଣ ପ୍ରସ୍ତୁତି କରିଛନ୍ତି ତା ଉପରେ ବୈଠକରେ ଆଲୋଚନା ହୋଇଛି । ପାନୀୟ ଜଳ ପ୍ରକଳ୍ପ ବିଳମ୍ବିତ ହୋଇ ରହିଛି । ସଚିବମାନେ ଫିଲ୍ଡ ଭିଜିଟ ବେଳେ ମେଗା ପାନୀୟ ଜଳ ପ୍ରକଳ୍ପକୁ ଗୁରୁତ୍ୱ ଦେଇ ସମୀକ୍ଷା କରିବେ ।
ପ୍ରତି ମାସରେ ସମୀକ୍ଷା ବୈଠକ
ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯିବ । ଗୋଟିଏ ନିର୍ଦ୍ଧିଷ୍ଟ ଦିନ ରହିଲେ ଅନ୍ୟ ଦିନ ବୈଠକ ନଡାକି ସେହିଦିନ ବୈଠକ କରିବାକୁ ସହଜ ହେବ । ଯଦ୍ୱାରା ସେଦିନ ଆଉ କେହି ଅନ୍ୟ କାର୍ଯ୍ୟକ୍ରମ ରଖିବେ ନାହିଁ । ପ୍ରତିମାସ ୧୫ ତାରିଖରେ କେବଳ ସଚିବ ମାନଙ୍କ ବୈଠକ ବସିବ । ସେହିପରି ପ୍ରତି ମାସର ତୃତୀୟ ମଙ୍ଗଳବାରରେ ସ୍ୱିଙ୍ଗିଲ୍ ୱିଣ୍ଡୋ ପ୍ରକଳ୍ପ ଉପରେ ସମୀକ୍ଷା କରାଯିବ । ଜିଲ୍ଲାପାଳ ଓ ସଚିବଙ୍କ ମଧ୍ୟରେ ସହଜରେ ଆଲୋଚନା ହୋଇପାରିବ ।