ନୂଆଦିଲ୍ଲୀ: ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତାରେ ବିରାଟ କୋହଲି ପୁଣି ଥରେ ଶୀର୍ଷ ସ୍ଥାନକୁ ଉଠିଛନ୍ତି । ସେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ୯୩ ରନର ଇନିଂସ ଖେଳି ଏହି ସ୍ଥାନ ଅକ୍ତିକାର କରିଛନ୍ତି । କିନ୍ତୁ ଏହାର ୨୪ ଘଣ୍ଟା ଭିତରେ କୋହଲିଙ୍କ ଏହି ଆସନ ପ୍ରତି ବିପଦ ସାଜିଛନ୍ତି ନୁୁ୍ୟଜିଲାଣ୍ଡର ଡାରିଲ ମିଚେଲ୍ । ଏହି ବ୍ୟାଟର ବର୍ତ୍ତମାନ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ପ୍ରଥମ ଦୁଇଟି ଦିନିକିଆରେ ନିରାଶଜନକ ପ୍ରଦର୍ଶନ ପରେ ରୋହିତ ଶର୍ମା ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ମିଚେଲ୍ ପ୍ରଥମ ଦିନିକିଆରେ ୮୪ ରନର ଇନିଂସ ଖେଳିଥିଲେ ।
ଆଇସିସି ଦିନିକିଆ ମାନ୍ୟତାରେ ବିରାଟ କୋହଲି ୭୮୫ ରେଟିଂ ସହ ପ୍ରଥମ, ଡାରିଲ ମିଚେଲ୍ ୭୮୪ ପଏଣ୍ଟ ସହ ଦ୍ୱିତୀୟ ଏବଂ ରୋହିତ ୭୭୫ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ଏବେ ନ୍ୟୁଜିଲାଣ୍ଡର ଡାରିଲ ମିଚେଲ୍ ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୧୩୧ ରନର ଅପରାଜିତ ମ୍ୟାଚ୍ ବିଜୟୀ ଶତକୀୟ ଇନିଂସ ଖେଳିଛନ୍ତି । ତାଙ୍କର ଏହି ଇନିଂସ ବଳରେ ନ୍ୟୁଜିଲାଣ୍ଡ ଭାରତକୁ ସହଜରେ ହରାଇଛି । ଏବେ ଡାରିଲ ମିଚେଲ୍ କୋହଲିଙ୍କ ଶୀର୍ଷ ସ୍ଥାନ ଛଡାଇ ପାରନ୍ତି ।
ହେଲେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ରବିବାର ଜାନୁଆରୀ ୧୮ରେ ଖେଳାଯିବ । ଯଦି ଏହି ମୁକାବିଲାରେ ବିରାଟ କୋହଲି ଡାରିଲ ମିଚେଲଙ୍କଠୁ ଉନ୍ନତ ପ୍ରଦର୍ଶନ କରନ୍ତି ତେବେ ଏହାର ପ୍ରଭାବ ରାଙ୍କିଙ୍ଗ ଉପରେ ପଡିପାରେ । ସେହିପରି ରୋହିତ ଶର୍ମାଙ୍କ ପାଖରେ ତୃତୀୟ ଦିନିକିଆରେ ବଡ ଇନିଂସରେ ଖେଳିବାର ସୁଯୋଗ ରହିଛି । ଯଦି ରୋହିତ ଭଲ ବ୍ୟାଟିଂ କରନ୍ତି ତେବେ ମାନ୍ୟତାରେ ତାଙ୍କୁ ଫାଇଦା ମିଳିପାରେ ।
କୋହଲି ଓ ରୋହିତଙ୍କ ବ୍ୟତୀତ ଟପ-୫ରେ ତୃତୀୟ ଭାରତୀୟ ଭାବେ ଅଧିନାୟକ ଶୁଭମନ ଗିଲ୍ ଅଛନ୍ତି । ସେ ୭୨୫ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ଅଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଗିଲ୍ ୫୬ ରନର ଇନିଂସ ଖେଳିଥିଲେ । ଏହାର ପ୍ରଭାବ ତାଙ୍କ ମାନ୍ୟତା ଉପରେ ପଡିବ । ଯଦି ଗିଲ୍ ତୃତୀୟ ଦିନିକିଆରେ କିଛି ବି କମାଲ କରିବାରେ ସଫଳ ହୁଅନ୍ତି ତେବେ ଟପ୍ ୪ କିମ୍ବା ୩ରେ ସ୍ଥାନ ପାଇ ପାରନ୍ତି ।
Also read: ରାଜକୋଟରେ ‘ସୁପର ଫ୍ଲପ’ ମାରିଲା ଟିମ୍ ଇଣ୍ଡିଆ, ଡାରିଲଙ୍କ ଆଗରେ ରାହୁଲ ଫିକା, ସିରିଜ୍ ବରାବର