ନୂଆଦିଲ୍ଲୀ: ଦିଲ୍ଲୀରୁ ସିଙ୍ଗାପୁର ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ବୈଷୟିକ ତ୍ରୁଟି ଦେଖାଦେବା ପରେ ଏହାକୁ ଗୁରୁବାର ସକାଳେ ପୁନର୍ବାର ଦିଲ୍ଲୀ ବିମାନବନ୍ଦରକୁ ଫେରାଇ ଅଣାଯାଇଛି। ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିବା ବେଳେ ଏଥିରେ ଥିବା ପ୍ରାୟ ୧୯୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ବୋଇଂ 787-9 ଡ୍ରିମଲାଇନର (AI 2380) ବିମାନଟି ଜାନୁଆରୀ ୧୪ ତାରିଖ ବିଳମ୍ବିତ ରାତିରେ ଦିଲ୍ଲୀରୁ ସିଙ୍ଗାପୁର ପାଇଁ ଉଡ଼ାଣ ଭରିଥିଲା। ଉଡ଼ାଣର କିଛି ସମୟ ପରେ ବିମାନର APU (Auxiliary Power Unit) ରେ ନିଆଁ ଲାଗିଥିବା ନେଇ ଏକ ଚେତାବନୀ ମିଳିଥିଲା। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଇଲଟ୍ ବିମାନଟିକୁ ତୁରନ୍ତ ଦିଲ୍ଲୀ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ।
'ଫ୍ଲାଇଟ୍ ରାଡାର-୨୪'ର ସୂଚନା ଅନୁଯାୟୀ, ବିମାନଟି ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ରହିବା ପରେ ରାତି ପ୍ରାୟ ୧ଟା ସମୟରେ ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ଅବତରଣ ପରେ ଗ୍ରାଉଣ୍ଡ ଷ୍ଟାଫ୍ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଥିଲେ।
ଏୟାର ଇଣ୍ଡିଆର ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଏକ ଅନ୍ୟ ଏକ ବିମାନ ଯୋଗେ ସିଙ୍ଗାପୁର ପଠାଯାଇଛି। ଏହି ଘଟଣା ପାଇଁ ଏୟାରଲାଇନ୍ସ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷା ଆମ ପାଇଁ ସର୍ବୋପରି, ସେଥିପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିମାନକୁ ଫେରାଇ ଅଣାଯାଇଥିଲା ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।