ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ପଡ଼ାଲଗୁଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମଙ୍ଗଳବାର ପାଇଖାନା ଟାଙ୍କିରେ ଶ୍ୱାସ ରୁଦ୍ଧ ହୋଇ ୪ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ମୃତକ ମାନେହେଲେ ଏମ୍.ସନ୍ତୁ (୨୮), ଅମିର ଖୁରା (୩୦), ତ୍ରିଲୋଚନ ଭତ୍ରା (୨୫) ଏବଂ ଲାଲୁ ରଣା କାମରା (୨୬) ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ପଡ଼ାଲଗୁଡ଼ା ଗାଁରେ ମୋହନ ନାମକ ଜଣେ ବ୍ୟକ୍ତିଙ୍କର ପାଇଖାନା ଟାଙ୍କି ନିର୍ମାଣ ଚାଲିଥିଲା । ଟାଙ୍କିର ସେଣ୍ଟ୍ରିଂ ଖୋଲା ଚାଲିଥିଲାବେଳେ ପ୍ରଥମେ ଜଣେ ଶ୍ରମିକ ଶ୍ୱାସରୁଦ୍ଧ ହୋଇ ପଡ଼ିଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଏମ ସନ୍ତୁ ନାମକ ଜଣେ ବ୍ୟକ୍ତି ଟାଙ୍କି ଭିତରକୁ ଯାଇଥିଲେ । ସେ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ । ଏହା ପରେ ଆଉ ଦୁଇ ଜଣ ଉଦ୍ଧାର କରିବାକୁ ଯାଇ ଅସୁସ୍ଥ ହୋଇଥିଲେ । ଘରେ ଲୋକେ ଏ ନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ସମସ୍ତଙ୍କୁ ଉଦ୍ଧାର କରି ନବରଙ୍ଗପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ୩ ଜଣଙ୍କ ମୃତ ଘୋଷଣା କରିଥିଲେ । ଏମ୍ ସନ୍ତୁଙ୍କୁ ଗୁରୁତର ଅବସ୍ଥାରେ ଆଇସିଏୟୁରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେ କିଛି ସମୟରେ ପରେ ପ୍ରାଣ ହରାଇଥିଲେ ।
ଖବର ପାଇ ନବରଙ୍ଗପୁର ଅତିରିକ୍ତ ଏସପି ଆଦିତ୍ୟ ସେନ, ଏସଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା ଏବଂ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଁଚିଛନ୍ତି । ନବରଙ୍ଗପୁର ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । କେମିତି ଶ୍ୱାସ ରୁଦ୍ଧ ହେଲେ ଏବଂ ସେଠି ଆଉ କିଏ ଉପସ୍ଥିତ ଥିଲେ ସେ ନେଇ ଯାଞ୍ଚ କରୁଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ ବୋଲି ପୋଲିସ କହିଛି ।