ଆସିକା: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଞ୍ଚଳରେ ଦୁର୍ଘଟଣା ଘଟିଛି । ଢଉଗାଁ ଛକରେ ମଦ୍ୟପ ଟ୍ରକ୍ ଡ୍ରାଇଭର ପାଇଁ ସିରିଜ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଛି । ଟ୍ରକ ଜଣେ ବ୍ୟକ୍ତି ଉପରେ ଚଢ଼ାଇବା ସହିତ ଗୋଟିଏ ଦୋକାନ ଓ ଦୁଇଟି ଘର ଉପରେ ମାଡିଯାଇଛି । ଟ୍ରକ୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ଢଉଗାଁ ଛକରେ ମଦ୍ୟପ ଟ୍ରକ୍ ଡ୍ରାଇଭର ଭାରସାମ୍ୟ ହରାଇ ଜଣେ ବ୍ୟକ୍ତିଙ୍କ ଉପରେ ଚଢ଼ାଇଥିଲେ । ଏହା ପରେ ୭୦୦ ମିଟର ଦୂରରେ ଥିବା ଗୋଟିଏ ଦୋକାନ ଓ ଦୁଇଟି ଘର ଉପରେ ମଡ଼ାଇ ଦେଇଥିଲେ । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଚମ୍ପଟ ମରୁଥିବାବେଳେ ଗାଁ ଲୋକେ କାବୁ କରି ଧରାକୋଟ ପୋଲିସକୁ ଜିମା ଦେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି । ଦୁର୍ଘଟଣା ସମ୍ପର୍କରେ ଡ୍ରାଇଭରକୁ ପଚରାଉଚରା କରିବା ସମୟରେ ନିଜେ ଡ୍ରାଇଭର କହିଛି ଯେ, ଅଧିକ ଭାଙ୍ଗ ଖାଇ ତାକୁ ନିଶା ହୋଇଯିବାରୁ ଦୁର୍ଘଟଣା ଘଟିଛି । ମୃତଦେହ ରଖି ଗାଁ ଲୋକ ପ୍ରତିବାଦ କରିଛନ୍ତି ।