ନୂଆଦିଲ୍ଲୀ: ବିଜେପି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ତିନୋଟି ପ୍ରମୁଖ ପ୍ରମୁଖ ବିକାଶମୂଳକ ଦାବି ଉପସ୍ଥାପନ କରିଛନ୍ତି । ରାଉରକେଲା ରେଳ ଡିଭିଜନ ନିର୍ମାଣ, ରାଉରକେଲା ଇସ୍ପାତ କାରଖାନର ତ୍ୱରିତ ସମ୍ପ୍ରସାରଣ ଏବଂ ରାଉରକେଲା ବିମାନବନ୍ଦରର ଉନ୍ନତିକରଣ ଓ ସମ୍ପ୍ରସାରଣକୁ ନେଇ ଦାବି ଉଠାଇଛନ୍ତି । ଏ ନେଇ ଦିଲୀପ ରାୟ ନିଜ ସୋସିଆଲ୍ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛନ୍ତି ।
ଦିଲୀପ ରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ରାଉରକେଲାର ତିନୋଟି ପ୍ରମୁଖ ଦାବି ପତ୍ର ପ୍ରଦାନ କରିଛନ୍ତି । ସାକ୍ଷାତ ଫଳପ୍ରଦ ହୋଇଥିବା ସେ କହିଛନ୍ତି । ପ୍ରଥମ ଦାବି ହେଉଛି ପୂର୍ବ ତଟ ରେଳପଥ ଅଧୀନରେ ରାଉରକେଲାରେ ଏକ ନୂତନ ରେଳ ଡିଭିଜନ ପ୍ରତିଷ୍ଠା କରିବା । ରାଉରକେଲା ଏବଂ ଏହାର ଆଖପାଖ ଜିଲ୍ଲାଗୁଡ଼ିକ ରେଳ ରାଜସ୍ୱରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖନ୍ତି, ତଥାପି ଏହି ଅଞ୍ଚଳ ଭିତ୍ତିଭୂମି ଏବଂ ଯାତ୍ରୀ ସେବା ଦୃଷ୍ଟିରୁ ପଛୁଆ ରହିଛି। ଓଡ଼ିଶାର ଖଣିଜ କ୍ଷେତ୍ର ପାଇଁ ଉତ୍ତମ ପ୍ରଶାସନ, ଉନ୍ନତ ସଂଯୋଗୀକରଣ ଏବଂ ସନ୍ତୁଳିତ ବିକାଶ ସୁନିଶ୍ଚିତ କରି ଏକ ଉତ୍ସର୍ଗୀକୃତ ରେଳ ଡିଭିଜନ ସୃଷ୍ଟି କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ଅଧିକ ପଢ଼ନ୍ତୁ-ଚହଲ-ଧନଶ୍ରୀଙ୍କ ବୈବାହିକ ଜୀବନରେ ପଡ଼ିଲା ପୂର୍ଣ୍ଣଛେଦ, ଛାଡ଼ପତ୍ର ଉପରେ ମୋହର ମାରିଲେ କୋର୍ଟ
ସେହିପରି ଦ୍ୱିତୀୟ ଦାବି ହେଉଛି ସେଲ୍ ବା SAIL(ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଡେଟ୍) ଅଧୀନରେ ରାଉରକେଲା ଇସ୍ପାତ କାରଖାନା (RSP)ର ତ୍ୱରିତ ସମ୍ପ୍ରସାରଣ କରିବା । ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ୩୦,୦୦୦ କୋଟି ଟଙ୍କାର ସମ୍ପ୍ରସାରଣ ଯୋଜନା ଅଟକି ରହିଥିବା ସେ କହିଛନ୍ତି । ଏହି ସମ୍ପ୍ରସାରଣ ଦ୍ୱାରା ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ ବୋଲି ଦିଲୀପ ଚିଠିରେ ଉଲ୍ଲେଖ କରିଛନ୍ତି ।
ସେହିପରି ଶେଷ ଦାବି ତଥା ତୃତୀୟ ଦାବି ରହିଛି ରାଉରକେଲା ବିମାନବନ୍ଦରର ଉନ୍ନତିକରଣ ଏବଂ ସମ୍ପ୍ରସାରଣ । ବିମାନବନ୍ଦରକୁ 4C ବର୍ଗରେ ଉନ୍ନତ କରିବା, ରନୱେକୁ ବିସ୍ତାର କରିବା, ରାତ୍ରିକାଳୀନ ଅବତରଣ ସୁବିଧା ସ୍ଥାପନ କରିବା ଏବଂ ନିର୍ଭରଯୋଗ୍ୟ ବିମାନ ସଂଯୋଗ ସୁନିଶ୍ଚିତ କରିବା ପାଇଁ ଅଧିକ ବିମାନ ଅପରେଟର ଆଣିବାର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି । ଏହା ସହିତ ଉତ୍ତମ ପରିଚାଳନା ଏବଂ ଦୀର୍ଘକାଳୀନ ବିକାଶ ପାଇଁ ସେଲରୁ ଏଏଆଇକୁ ବିମାନବନ୍ଦର ମାଲିକାନା ତୁରନ୍ତ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି ଦିଲୀପ ରାୟ ।
ଅଧିକ ପଢ଼ନ୍ତୁ- ବି. ଏଡ଼, ଏମ. ଏଡ଼ ଏବଂ ବି.ଏଚ.ଏଡ଼ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ମାର୍ଚ୍ଚ ୨୪ରୁ ଅନଲାଇନ୍ ଆବେଦନ