ମୁମ୍ବାଇ: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ଆନୁଷ୍ଠାନିକ ଛାଡ଼ପତ୍ର ହୋଇଛି । ଗୁରୁବାର ମୁମ୍ବାଇର ବାନ୍ଦ୍ରା ଫ୍ୟାମିଲି କୋର୍ଟ ଏହା ଉପରେ ମୋହର ମାରିଛନ୍ତି । ଶୁଣାଣି ସମୟରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଚହଲ-ଧନଶ୍ରୀ ବର୍ମା ଉପସ୍ଥିତ ଥିଲେ। କୁହାଯାଉଛି ଚହଲ ଓ ଧନଶ୍ରୀଙ୍କ ମଧ୍ୟରେ ଏଲିମନି ଅର୍ଥାତ ଭରଣପୋଷଣ ବାବଦ ଖର୍ଚ୍ଚକୁ ନେଇ ସହମତି ପ୍ରକାଶ ପାଇଛି । ଭରଣପୋଷଣ ବାବଦରେ ଧନଶ୍ରୀଙ୍କୁ ଚହଲ ୪.୭୫ କୋଟି ଟଙ୍କା ଦେବେ । ଏଥିରୁ ୨.୩୭ କୋଟି ଟଙ୍କା ପ୍ରଥମ କିସ୍ତିରେ ଦେଇ ସାରିଛନ୍ତି । ବାକି ରାଶି ଚହଲ ଆଗାମୀ ସମୟରେ ଦେବେ ।
ଏହି ହାଇ ପ୍ରୋଫାଇଲ ଛାଡପତ୍ରକୁ ବାନ୍ଦ୍ରା ଫ୍ୟାମିଲି କୋର୍ଟ ଶୁଣାଣି କରି ମୋହର ମାରିଛନ୍ତି। ଏହା ପୂର୍ବରୁ ଆଜି ବମ୍ବେ ହାଇକୋର୍ଟ ଚହଲଙ୍କ ଆଇପିଏଲ୍ ମ୍ୟାଚ୍କୁ ଦୃଷ୍ଟିରେ ରଖି ଶୀଘ୍ର ଶୁଣାଣି ସାରିବାକୁ ତଳ କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ୟୁଜବେନ୍ଦ୍ର ଚହଲ ପ୍ରଥମେ ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ। ଏହାର ପାଖାପାଖି ଘଣ୍ଟାଏ ପରେ ଧନଶ୍ରୀ ପହଞ୍ଚିଥିଲେ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ. ୟୁଜବେନ୍ଦ୍ର ଚହଲଙ୍କ ମୋଟ୍ ସଂପତ୍ତି ପରିମାଣ ୪୫ କୋଟି । ଏଥିରେ ବିସିସିଆଇ କଣ୍ଟ୍ରାକ୍ଟ ବ୍ୟତୀତ ଆଇପିଏଲ୍, ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଓ ଅନ୍ୟ ନିବେଶ ସାମିଲ । ଚହଲ ବିସିସିଆଇର ଗ୍ରେଡ ସିରେ ଅନୁବନ୍ଧ ଅଛନ୍ତି । ଏଥିରେ ତାଙ୍କୁ ବାର୍ଷିକ ଏକ କୋଟି ଟଙ୍କା ମିଳୁଛି । ଏହା ବାଦ୍ ଚହଲ ଆଇପିଏଲରୁ ମୋଟା ଅଙ୍କର ଆୟ କରନ୍ତି । ଗତ ବର୍ଷ ନିଲାମରେ ପଞ୍ଜାବ କିଙ୍ଗ୍ସ ୟୁଜବେନ୍ଦ୍ର ଚହଲଙ୍କୁ ୧୮ କୋଟି ଟଙ୍କାରେ କିଣିଥିଲା ।
ଉଲ୍ଲେଖନୀୟ ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ଲଭ ଷ୍ଟୋରୀ ପ୍ରାୟ ୫ ବର୍ଷ ତଳେ ଆରମ୍ଭ ହୋଇଥିଲା । ଏହା ପରେ ଦୁହେଁ ୨୦୨୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ମାତ୍ର ଶୀଘ୍ର ହିଁ ଉଭୟଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା । ଗତ ମାସରେ ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା ପରସ୍ପର ସହମତିରେ ମୁମ୍ବାଇ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ମୁମ୍ବାଇ ଫ୍ୟାମିଲି କୋର୍ଟରେ ଦିଆଯାଇଥିବା କାଗଜପତ୍ର ଅନୁସାରେ ଉଭୟ ୨୦୨୨ରୁ ଅଲଗା ରହୁଛନ୍ତି । ଆଜି ଏହି ହାଇ ପ୍ରୋଫାଇଲ ଛାଡପତ୍ରକୁ ବାନ୍ଦ୍ରା ଫ୍ୟାମିଲି କୋର୍ଟ ଆନୁଷ୍ଠାନିକ ରୂପ ଦେଇଛନ୍ତି।