ପୁରୀ: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ନାବାଳିକାକୁ ଜାଳି ଦେବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିର୍ଦ୍ଦେଶ ଦେଛନ୍ତି । ଏହା ସହିତ ସମ୍ପୃକ୍ତ ନାବାଳିକାର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବଳଙ୍ଗା ଥାନା ଅଂଚଳରେ ଦୁର୍ବୃତ୍ତମାନେ ନାବାଳିକା ଦେହରେ ନିଆଁ ଲଗାଇଦେବା ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଘଟଣା ତାଙ୍କୁ ବ୍ୟଥିତ ଏବଂ ମର୍ମାହତ କରିଛି । ସୂଚନା ଦେଇଛନ୍ତି ଯେ ଝିଅକୁ ଭୁବନେଶ୍ୱର ସ୍ଥିତ ଏମ୍ସକୁ ତୁରନ୍ତ ସ୍ଥାନାନ୍ତରିତ କରାଯାଇଛି ଓ ତାହାର ଚିକିତ୍ସାର ସମସ୍ତ ବ୍ୟବସ୍ଥା କରାଯାଉଛି । ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ଏହା ସହିତ ତୁରନ୍ତ ସମ୍ପୃକ୍ତ ଦୋଷୀମାନଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ପ୍ରଶାସନକୁ କଡ଼ା ନିର୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଜଣେ ୧୫ ବର୍ଷୀୟା ନାବାଳିକା କୌଣସି କାମରେ ଯାଇ ନୂଆଗୋପାଳପୁର ଗାଁକୁ ଫେରୁଥିଲେ । ଏହି ସମୟରେ ୩-୪ ଜଣ ଦୁର୍ବୃତ୍ତ ତାଙ୍କ ମୁହଁରେ କପଡ଼ା ଦେଇ ଉଠାଇ ନେଇଥିଲେ । ନିକଟସ୍ଥ ନଦୀବନ୍ଧ ଉପରେ ନାବାଳିକା ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ । ଝିଅଟି ଜୀବନ ବିକଳରେ ଏଣେ ତେଣେ ଧାଇଁବାକୁ ଆରମ୍ଭ କରିଥିଲା । ଜଣଙ୍କ ଘର ସାମ୍ନାରେ ପଡ଼ି ବଞ୍ଚାଇବାକୁ ଗୁହାରୀ କରିଥିଲେ । ଏହା ପରେ ଉକ୍ତ ଘରର ଲୋକେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । କିଛି ଦୁର୍ବୃତ୍ତ ତାଙ୍କୁ ମାରିଦେବାକୁ ଚେଷ୍ଟା କରୁଥିଲେ ବୋଲି ନାବାଳିକା ଜଣକ ଉକ୍ତ ଘର ଲୋକଙ୍କୁ କହିଥିଲେ ।
ବଳଙ୍ଗା ଥାନା ପୋଲିସ ତନାଘନା ଆରମ୍ଭ କରିଛି । ସେମାନେ କିଏ ଓ କାହିଁକି ନାବାଳିକାକୁ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ ତାହା ସ୍ପଷ୍ଟ ହୋଇନଥିବାବେଳେ ପ୍ରାରମ୍ଭିକ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।