ବ୍ରହ୍ମପୁର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବଂ ପୂର୍ବରୁ ଗିରଫ ହୋଇଥିବା ଅରବିନ୍ଦ ଦାସଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ବ୍ରହ୍ମପୁର ଗ୍ରାମାଞ୍ଚଳ ଜେଏମଏଫସିଙ୍କ ପକ୍ଷରୁ କ୍ରାଇମବ୍ରାଞ୍ଚ କରିଥିବା ରିମାଣ୍ଡ ଆବେଦନକୁ ଅନୁମୋଦନ ମିଳିଛି। କ୍ରାଇମବ୍ରାଞ୍ଚ ଶଙ୍କର ଓ ଅରବିନ୍ଦଙ୍କ ପାଇଁ ୭ ଦିନିଆ ରିମାଣ୍ଡ ଆବେଦନ କରିଥିବା ବେଳେ କୋର୍ଟ ୫ ଦିନିଆ ରିମାଣ୍ଡ ଦେଇଛନ୍ତି।
ରିମାଣ୍ଡ ଅବଧିରେ କ୍ରାଇମବ୍ରାଞ୍ଚ ଉଭୟ ଅଭିଯୁକ୍ତଙ୍କୁ ବିସ୍ତୃତ ଭାବେ ଜେରା କରିପାରିବ ବୋଲି ସୂଚନା ମିଳିଛି। ଏହି ମାମଲାରେ ପଞ୍ଚସଫ୍ଟ ମାଲିକ ତଥା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିଙ୍କୁ ଭାରତ-ନେପାଳ ସୀମାରୁ ଗିରଫ କରାଯାଇଥିଲା। ଏହା ସହିତ ସିଲିକନ ଟେକ୍ କମ୍ପାନୀ ମାଲିକ ସୁରେଶ ନାୟକଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଉଭୟଙ୍କୁ ସୋମବାର ଜେଏମଏଫସିରେ ହାଜର କରାଯିବା ପରେ ବିଚାରପତି ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ତେବେ କ୍ରାଇମବ୍ରାଞ୍ଚ ପକ୍ଷରୁ ଶଙ୍କର ଏବଂ ଅରବିନ୍ଦଙ୍କୁ ୭ଦିନିଆ ରିମାଣ୍ଡରେ ଦେବାକୁ ଆବେଦନ କରାଯାଇଥିଲା। ହେଲେ କୋର୍ଟ ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି।
ନିଯୁକ୍ତି ଦୁର୍ନୀତିରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଶଙ୍କରଙ୍କୁ ପୁଲିସ ଭାରତ-ନେପାଳ ସୀମାରୁ ଗିରଫ କରାଯାଇଥିଲା। ନେପାଳରୁ ସେ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା। ଡିଏସ୍ପି ଅନିଲା ଆନନ୍ଦଙ୍କ ନେତୃତ୍ବରେ ଦିଲ୍ଲୀରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚର ଏକ ଚାରିଜଣିଆ ଟିମ୍ ଏ ସଂପର୍କରେ ସୂଚନା ପାଇ ଚଢ଼ଉ କରିବା ସହିତ ତାକୁ ନେପାଳ ସୀମାରୁ କାବୁ କରିଥିଲେ।
ଶଙ୍କର ଗିରଫ ହେବା ପରେ ଏହି ଦୁର୍ନୀତିରେ ପ୍ରାୟ ୧ ହଜାର କୋଟି ଟଙ୍କାର ଡିଲ୍ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ଅଧିକ ଜେରା କରାଗଲେ ଏହି ମାମଲାରେ ଆହୁରି ଅନେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।
ଅଧିକ ପଢନ୍ତୁ: ଏସଆଇ ପରୀକ୍ଷା ଦୁର୍ନୀତି: ସିଲିକନ୍ ଟେକ୍ ମାଲିକ ଗିରଫ