ଭୁବନେଶ୍ଵର: ରାଜ୍ୟ କଂଗ୍ରେସ ଏକ ବଡ଼ ଘୋଷଣା କରିଛି । କଂଗ୍ରେସ ଭବନରେ ଖୁବଶୀଘ୍ର ମହିଳାଙ୍କ ପାଇଁ ଖୋଲିବ ଅଭିଯୋଗ ପ୍ରକୋଷ୍ଠ ଏବଂ ଲଞ୍ଚ କରିବ ସ୍ୱତନ୍ତ୍ର ଆପ୍ । ଏହା ସହିତ ଆସନ୍ତା ୨୪ ତାରିଖରେ ଏଫ୍ ଏମ୍ କଲେଜ ମୃତ ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିବସ ଆୟୋଜନ କରାଯିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।
ଭକ୍ତ ଦାସ କହିଛନ୍ତି, ଆସନ୍ତା ୨୪ ତାରିଖରେ ମୃତ ଛାତ୍ରୀଙ୍କ ଉଦ୍ଦେଶ୍ୟରେ ମହିଳା କଂଗ୍ରେସ ସେଲ୍ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯିବ । ଏଥିରେ କଂଗ୍ରେସ ସହିତ ବାମ ଦଳ, ଆରଜେଡି, ଏସପି ସମେତ ଇଣ୍ଡିଆ ମେଣ୍ଟର ୮ଟି ଦଳ ସାମିଲ ହେବେ । ସବୁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଗୁଡିକରେ ୨ ମିନିଟ ନୀରବ ପ୍ରାର୍ଥନା ପାଇଁ ଅନୁରୋଧ କରିଛନ୍ତି ପିସିସି ସଭାପତି । ସେହିପରି ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ମଧ୍ୟ ନୀରବ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ।
କଂଗ୍ରେସ ରାଜନୈତିକ ବ୍ୟାପାର କମିଟି ନିଷ୍ପତ୍ତି ଅନୁସାରେ ରାଜ୍ୟରେ ନିର୍ଯାତିତ ମହିଳାଙ୍କ ଲାଗି ମହିଳା ସେଲ ଖୋଲାଯିବ । ସେମାନେ ଆପ ଜରିଆରେ ଅଭିଯୋଗ କରିପାରିବେ । ଏହା ପରେ ପିସିସି ଉକ୍ତ ମାମଲାରେ ଅନୁଧ୍ୟାନ କରି ତଦନ୍ତରେ ସହଯୋଗ କରିବ ।
ଖାଲି ସେତିକି ନୁହେଁ ଆସନ୍ତା ମୌସୁମୀ ଅଧିବେଶନରେ ଉଭୟ ଓଡ଼ିଶା ବିଧାନସଭା ଏବଂ ସଂସଦରେ ବିରୋଧୀ ଏହି ପ୍ରସଙ୍ଗ ଉଠାଇବେ ବୋଲି ଚେତାବନୀ ଦେଇଛନ୍ତି ।