ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଶକ୍ତିଶ୍ରୀକୁ ଟକ୍କର ଦେବାକୁ କଂଗ୍ରେସ ଖୋଲିଛି ନିଜର ସ୍ୱତନ୍ତ୍ର ପୋର୍ଟାଲ । ଆଜି କଂଗ୍ରେସ ଭବନ ପରିସରରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ " ଓଡ଼ିଶା ପ୍ରଦେଶ କଂଗ୍ରେସ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ " ପୋର୍ଟାଲ ଉନ୍ମୋଚିତ ହୋଇଛି । ନୂତନ ପୋର୍ଟାଲ ଜରିଆରେ ରାଜ୍ୟ ମହିଳାମାନେ ନିଜର ଅଭିଯୋଗ କରିପାରିବେ ।
ଏହି ସଭାରେ ଏକ ପୋର୍ଟାଲ ଲଞ୍ଚ ହେବା ସହ ତାର ଉପାଦେୟତା ଏବଂ ବ୍ୟବହାର ସମ୍ପର୍କରେ ଶ୍ରୀ ଦାସ ସାମ୍ବାଦିକ ସମ୍ମିଳନୀରେ ଆଲୋଚନା କରିଥିଲେ । ଯେକୌଣସି ମହିଳା ନାରୀ ନ୍ୟାୟ ପୋର୍ଟାଲରେ ପଞ୍ଜୀକରଣ କରିପାରିବେ । ମେଲ୍ କିମ୍ବା କ୍ୟୁଆର୍ କୋଡ୍ ସ୍କାନ୍ କରି ଅଭିଯୋଗ କରିପାରିବେ । ଆସନ୍ତାକାଲି ଠାରୁ ଏହି ଆପ୍ କାର୍ଯ୍ୟ କରିବ । ଖୁବ ଶୀଘ୍ର ଟୋଲ୍ ଫ୍ରି ନଂ ଜାରି ହେବ । କଂଗ୍ରେସ ଉକ୍ତ ମହିଳାଙ୍କ ନିକଟରେ ପହଁଚିବା ସହିତ ନ୍ୟାୟ ଦେବାକୁ ସରକାରଙ୍କ ଉପରେ ଚାପ ପକାଇବ ବୋଲି କହିଛନ୍ତି ପିସିସି ସଭାପତି ।
ସୌମ୍ୟାଶ୍ରୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ସଭା
ଅନ୍ୟପକ୍ଷରେ ଆଜି ଏଫ୍.ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ଏଗାର ଦିନ ପୂରିଛି । ତାଙ୍କର ଏକାଦଶ ଅବସରରେ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଛି । ପିସିସି ସଭାପତି ଭକ୍ତ ଦାସଙ୍କ ସମେତ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଓ ପ୍ରସାଦ ହରିଚନ୍ଦନ ପ୍ରମୁଖ ଯୋଗ ଦେଇ କଂଗ୍ରେସ ଭବନରେ ନିରବ ପ୍ରାର୍ଥନା କରିଛନ୍ତି ।
ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଶକ୍ତିଶ୍ରୀ
କଲେଜ ଓ ବିଶ୍ୱବିଦ୍ୟାଳୟ ପରି ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ରାଜ୍ୟ ସରକାର ଶକ୍ତିଶ୍ରୀ ଯୋଜନାର ଶୁଭାରମ୍ଭ କରିଛନ୍ତି । ଛାତ୍ରୀମାନଙ୍କ ପ୍ରତି ଘଟୁଥିବା ଅପରାଧକୁ ରୋକିବାକୁ ଏହି ଯୋଜନା କରାଯାଇଛି । “ଶକ୍ତିଶ୍ରୀ ଆପ୍” ନାମରେ ଏକ ନୂତନ ମୋବାଇଲ ଆପ୍ କାର୍ଯ୍ୟକାରୀ ହେବ । କ୍ୟାମ୍ପସରେ ଛାତ୍ରୀମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଏହା ସହାୟକ ହେବ। ଶକ୍ତିଶ୍ରୀ ମୋବାଇଲ ଆପ୍ ମାଧ୍ୟମରେ କଲେଜମାନଙ୍କରେ ଥିବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଏହାର ନିୟମାବଳୀ ଏବଂ କାର୍ଯ୍ୟ ସମ୍ବନ୍ଧରେ ସମସ୍ତ ସୂଚନା ପ୍ରଦାନ କରାଯିବ। ଏଥିସହ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କର ଫୋନ୍ ନମ୍ବର ମଧ୍ୟ ପ୍ରଦାନ କରାଯିବ। ଯଦି କୌଣସି ଛାତ୍ରୀ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି, ତେବେ ସେ ନିଜର ପରିଚୟକୁ ଗୋପନୀୟ ରଖି ନିଜର ଅଭିଯୋଗକୁ ଲେଖା, ଭଏସ୍ ରେକର୍ଡିଂ କିମ୍ବା ଭିଡ଼ିଓ ରେକର୍ଡିଂ ଜରିଆରେ ଉକ୍ତ ଆପ୍ରେ ପଞ୍ଜିକରଣ କରିପାରିବେ।