ଭୁବନେଶ୍ୱର: ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଶାର ଅର୍ଥନୀତିକୁ ମଜବୁତ୍ କରୁଛୁ । ଏଥିପାଇଁ ଆମ ସରକାର ବନ୍ଦର, ସଡକ, ରେଳ ଏବଂ ବିମାନ ପରିବହନ କ୍ଷେତ୍ରର ବିକାଶ ଦିଗରେ ଉଦ୍ୟମ ଅବ୍ୟାହତ ରଖିଛି। ସମୃଦ୍ଧ ଓଡିଶା ଗଠନ ପାଇଁ “ବିସ୍ତୃତ ଭିତ୍ତିଭୂମି ମାଷ୍ଟର ପ୍ଲାନ” ପ୍ରସ୍ତୁତ କରାଯାଉଛି । ଆଜି ଭୁବନେଶ୍ୱରରେ ଆୟୋଜିତ ୮୪ତମ ଭାରତୀୟ ସଡକ କଂଗ୍ରେସ ସମାବେଶ ଉଦ୍ଘାଟନରେ ଯୋଗ ଦେବା ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଜୟରାମ ଗଡକରୀଙ୍କ ଦ୍ୱାରା ୮୪ତମ ଭାରତୀୟ ସଡକ କଂଗ୍ରେସ ସମାବେଶ ଉଦ୍ଘାଟନ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ନେବାଠାରୁ ସଡକ ନିର୍ମାଣ କ୍ଷେତ୍ରରେ ଦ୍ରୁତ ଉନ୍ନତି ଆସିଛି । ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନ ଓ କେନ୍ଦ୍ର ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଯୋଗୁ ଆଜି ଉତ୍ତମ ସଡକ ନିର୍ମାଣ କ୍ଷେତ୍ରରେ ଦେଶବ୍ୟାପୀ ବ୍ୟାପକ ପରିବର୍ତ୍ତନ ଆସିଛି । ସ୍ୱାଧୀନତା ପରଠାରୁ ୨୦୧୪ ମସିହା ସୁଦ୍ଧା ଦେଶରେ ମାତ୍ର ୯୧ ହଜାର କିଲୋମିଟର ରାଜପଥ ନିର୍ମାଣ ହୋଇଥିବା ବେଳେ ୨୦୧୪ ରୁ ୨୦୨୪ ଅର୍ଥାତ୍ ମାତ୍ର ଦଶ ବର୍ଷରେ ୫୫ ହଜାର କିଲୋମିଟର ରାଜପଥ ନିର୍ମାଣ କରାଯାଇଛି।
ସେହିପରି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଆମେ ଓଡିଶାର ଅର୍ଥନୀତିକୁ ମଜବୁତ୍ କରୁଛୁ । ଏଥିପାଇଁ ଆମ ସରକାର ବନ୍ଦର, ସଡକ, ରେଳ ଏବଂ ବିମାନ ପରିବହନ କ୍ଷେତ୍ରର ବିକାଶ ଦିଗରେ ଉଦ୍ୟମ ଅବ୍ୟାହତ ରଖିଛି । ଓଡ଼ିଶା ରାଜ୍ୟ ସଡ଼କ ନୀତି-୨୦୨୫ ଏବଂ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ଆଇନ-୨୦୨୫ କରାଯାଇଛି। ସମୃଦ୍ଧ ଓଡିଶା ଗଠନ ପାଇଁ “ବିସ୍ତୃତ ଭିତ୍ତିଭୂମି ମାଷ୍ଟର ପ୍ଲାନ” ପ୍ରସ୍ତୁତ କରାଯାଉଛି । ୨୦୨୫-୨୬ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଓଡିଶା ପାଇଁ ୧୩ ହଜାର ୬୯ କୋଟି ଟଙ୍କାର ଜାତୀୟ ରାଜପଥ ମଞ୍ଜୁର କରିଛନ୍ତି। କେନ୍ଦ୍ର ରାଜପଥ ମନ୍ତ୍ରୀଙ୍କ ଦ୍ୱାରା ୪ ହଜାର କୋଟି ଟଙ୍କାର ୧୯ଟି ସଡକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ୧୩ଟି ପ୍ରକଳ୍ପ ପାଇଁ ୯ ହଜାର କୋଟି ଟଙ୍କା ମଧ୍ୟ ସେ ପୂର୍ବରୁ ମଞ୍ଜୁର କରିଛନ୍ତି।
ଆଗାମୀ ୫ ବର୍ଷ ମଧ୍ୟରେ ୭୫ ହଜାର କିଲୋମିଟର ସଡକ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଓଡିଶାର ସଡକ ଗୁଡିକୁ ବିଶ୍ୱସ୍ତରୀୟ ମାନର କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ଆଗାମୀ ଦିନରେ କେନ୍ଦ୍ର ମନ୍ତ୍ରୀଙ୍କର ଏହି ସହଯୋଗ ଓଡିଶାର ବିକାଶକୁ ଆହୁରି ତୀବ୍ର କରିବ।
ଏହି ଅବସରରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଓଡିଶା ପାଇଁ ୧୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସଡକ ଭିତ୍ତିଭୂମି ପାଣ୍ଠି ଘୋଷଣା କରିଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ ଭଳି ଭୁବନେଶ୍ୱରର କଠିନ ବର୍ଜ୍ୟବସ୍ତୁକୁ ସଡକ ନିର୍ମାଣ କ୍ଷେତ୍ରରେ ଉପଯୋଗ କରି ସ୍ୱଚ୍ଛ ଭୁବନେଶ୍ୱର ଗଠନ କରିବାକୁ ପରାମର୍ଶ ଦେଇଛନ୍ତି ।