ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଜୟରାମ ଗଡକରୀଙ୍କ ଦ୍ୱାରା ୮୪ତମ ଭାରତୀୟ ସଡକ କଂଗ୍ରେସ ସମାବେଶ ଉଦ୍ଘାଟନ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଓଡିଶା ପାଇଁ ୧୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସଡକ ଭିତ୍ତିଭୂମି ପାଣ୍ଠି ଘୋଷଣା କରିଛନ୍ତି। ଏଥି ସହିତ ସେ କହିଥିଲେ ଯେ, ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ସଡକ ନିର୍ମାଣ କରାଯାଉଛି। ତେଣୁ, ଭୁବନେଶ୍ୱରର କଠିନ ବର୍ଜ୍ୟବସ୍ତୁକୁ ସଡକ ନିର୍ମାଣ କ୍ଷେତ୍ରରେ ଉପଯୋଗ କରି ସ୍ୱଚ୍ଛ ଭୁବନେଶ୍ୱର ଗଠନ କରିବାକୁ ପରାମର୍ଶ ଦେଇଥିଲେ। ଭାରତ ଏବେ ଅନ୍ୟ ଦେଶରୁ ତେଲ ଆମଦାନୀ କରୁଛି। କିନ୍ତୁ ଭାରତର ଲକ୍ଷ୍ୟ ଯେ, ଆଗାମୀ ଦିନରେ ତେଲ ରପ୍ତାନୀ କରିବ। ଭାରତରେ ଇଥାନୋଲ, ମେଥାନୋଲ, ବାଓ-ଏଲ୍ଏନ୍ଜି, ସିଏନ୍ଜି ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବ। ଦେଶର କିଛି ରାଜ୍ୟରେ ପ୍ରଥମେ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବ, ଯେଉଁଥିରେ ଓଡ଼ିଶା ମଧ୍ୟ ସାମିଲ ରହିଛି।
ନିଜ ଅଭିଭାଷଣରେ ଗଡ଼କରି କହିଛନ୍ତି,ପାଇଲଟ ପ୍ରୋଜେକ୍ଟରେ ଆମେ ଓଡିଶା ସମେତ କିଛି ରାଜ୍ୟରେ ଯାନ ଚଳେଇବା ପାଇଁ ନିଷ୍ପତ୍ତି ନେଇଛୁ। ଏହା ହେଉଛି ଭବିଷ୍ୟତ। ସେହି ଅନୁପାତରେ ରାସ୍ତା ଦୁର୍ଘଟଣା ଜନିତ ମୃତ୍ୟୁ ଘଟୁଛି। ବର୍ଷକୁ ୧ ଲକ୍ଷ ୮୦ ହଜାର ଜୀବନ ଯାଉଛି ସଡକ ଦୁର୍ଘଟଣାରେ। ସଡକ ସୁରକ୍ଷାକୁ ବିଶେଷ ଗୁରୁତ୍ଵ ଦିଆଯିବା ଉଚିତ। ସଡକ ସୁରକ୍ଷା ଆଇନ୍ ପ୍ରତି ଲୋକଙ୍କ ଭୟ ନାହିଁ।
ଉଦ୍ଘାଟନୀ ଅବସରରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ଉଦ୍ବୋଧନ ଦେଇ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ କହିଥିଲେ ଯେ, ଭାରତୀୟ ସଡକ କଂଗ୍ରେସ ହେଉଛି ଭାରତୀୟ ରୋଡ ଇଞ୍ଜିନିୟରିଙ୍ଗ୍ ର ଆତ୍ମା। ଏହି ସମାବେଶ ହେଉଛି ସଡକ ଭିତ୍ତିଭୂମି ନିର୍ମାଣ, ଗବେଷଣା, ଇଞ୍ଜିନିୟରିଙ୍ଗ୍ ଓ ଇନୋଭେସନ୍ ପାଇଁ ଏକ Knowledge Platform. ସେ କହିଥିଲେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସଡକ ନିର୍ମାଣ କ୍ଷେତ୍ରରେ ଦେଶ ଆଜି ଅଗ୍ରଗତି କରିଛି, ଯାତାୟତ ସମୟ ହ୍ରାସ ପାଇଛି। ଆଗାମୀ କିଛି ଦିନ ଭିତରେ ଭାରତ ସଡକ ନେଟୱର୍କ କ୍ଷେତ୍ରରେ ବିଶ୍ୱରେ ଏକ ନମ୍ବର ହେବାକୁ ଯାଉଛି। ଦେଶବ୍ୟାପୀ ଉନ୍ନତ ମାନର ସଡକ ନିର୍ମାଣ ପାଇଁ ୨ ଲକ୍ଷ ୮୭ ହଜାର କୋଟି ଟଙ୍କାର ପ୍ରାବଧାନ ରହିଛି।
ସେ ପୁଣି କହିଥିଲେ ଆମେ ଟେକ୍ନୋଲୋଜି ବ୍ୟବହାର କରି ଉତ୍ତମ ମାନର ସଡକ ନିର୍ମାଣ ପାଇଁ ପ୍ରୟାସ କରୁଛୁ। ଏଥିପାଇଁ ବିଶ୍ୱସ୍ତରୀୟ DPR ପ୍ରସ୍ତୁତି କରିବା ଆବଶ୍ୟକତା ରହିଛି। ନିଜ ନିଜ ଭିତରେ Best Practices, Research & Innovation କୁ ବିନିମୟ କରି ଭାରତର ନିର୍ମାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ସେ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ଆମ ଭବିଷ୍ୟତର ଇନ୍ଧନ ହେଉଛି- ହାଇଡ୍ରୋଜେନ୍। ସେଥିପାଇଁ ଆମେ ଦେଶରେ ଗ୍ରୀନ ହାଇଡ୍ରୋଜେନ୍ ପ୍ରସ୍ତୁତିକୁ ଗୁରୁତ୍ୱ ଦେଉଛୁ। ସଡକ ନିର୍ମାଣ କ୍ଷେତ୍ରରେ ସଡକ ନିରାପତ୍ତା ପ୍ରତି ଧ୍ୟାନ ଦେବା ପାଇଁ ସେ କହିଥିଲେ।
କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଦେଶରେ ସଡ଼କ ନିର୍ମାଣରେ ଦ୍ରୁତ ବିକାଶ ହୋଇଛି। ବିଭାଗ ପାଖରେ ୧୫ ଲକ୍ଷ କୋଟି ଟଙ୍କା ପଡ଼ିରହିଛି ବୋଲି ଗଡ଼କରୀ କହିଛନ୍ତି। ଅର୍ଥର କୌଣସି ଅଭାବ ନାହିଁ, ମୁଖ୍ୟ ସମସ୍ୟା ହେଉଛି ଖର୍ଚ୍ଚ କରିବା। ଅର୍ଥ ଖର୍ଚ୍ଚ କରିବାକୁ ହେଲେ ସକରାତ୍ମକ ଚିନ୍ତା ଓ ଟ୍ରାନ୍ସପରେନ୍ସି ଆବଶ୍ୟକ"। ଦେଶକୁ ଆଗକୁ ନେବାକୁ ହେଲେ ଏସବୁ ଆବଶ୍ୟକ ବୋଲି ଗଡ଼କରୀ ସ୍ପଷ୍ଟ ଭାବେ ବର୍ଣ୍ଣନା କରିଛନ୍ତି।
ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ୮୪ତମ ରୋଡ୍ସ କଂଗ୍ରେସ ସମାବେଶ ଆସନ୍ତା ନଭେମ୍ବର ୧୦ ତାରିଖ ଯାଏ ଚାଲିବ। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ୩୫ଶହରୁ ଅଧିକ ଡେଲିଗେଟ୍ସ ତଥା ଇଞ୍ଜିନିୟର, ବୈଷୟିକ ବିଶେଷଜ୍ଞ, ପ୍ରଦର୍ଶକ, ପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତ ଯୋଗ ଦେଇଛନ୍ତି। ପ୍ରଥମ ଦିନରେ ଏଥିରେ ସଡ଼କ ପରିବହନ ଓ ରାଜମାର୍ଗ ଉପରେ ବିଶେଷ ଆଲୋଚନା ହୋଇଛି।
ଅଧିକ ପଢନ୍ତୁ: ରାଷ୍ଟ୍ରୀୟ ଗୀତକୁ ୧୫୦ବର୍ଷ ପୂର୍ତ୍ତି; "ବନ୍ଦେ ମାତରମ ଆମର ପରିଚୟ, ଆମର ପ୍ରେରଣା..ଏହା ଆମର ଆତ୍ମବିଶ୍ୱାସ ବୃଦ୍ଧି କରେ"- ପ୍ରଧାନମନ୍ତ୍ରୀ