ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ ଅଭିନେତା ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ ଓରଫ୍ ହାଡ଼ୁ ଗୁରୁତର ଆହତ ହୋଇଛନ୍ତି । ଅସାବଧାନତା ବଶତଃ ଏକ ଗରମ କଡ଼େଇ ଉପରେ ପଡ଼ିଯିବାରୁ ସେ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଶନିବାର ରାତି ପ୍ରାୟ ୮ଟା ବେଳେ ଭୁବନେଶ୍ୱର ୟୁନିଟ୍ 1ରେ ଥିବା ହାଡ଼ୁଙ୍କ ବାସଭବନ ବାରଣ୍ଡାରେ ରୋଷେଇ ଚାଲୁଥିଲା । ଏହି ସମୟରେ ହାଡ଼ୁ ସେପଟ ଦେଇ ଯିବାବେଳେ ତଳେ ପଡ଼ିଥିବା ତେଲରେ ତାଙ୍କ ପାଦ ଖସିଯାଇଥିଲା । ଫଳରେ ସେ ସିଧାସଳଖ ଗ୍ୟାସ୍ ଚୁଲାରେ ବସିଥିବା ତେଲ କଡ଼େଇରେ ପଡ଼ି ଯାଇଥିଲେ । ତାଙ୍କ ମୁହଁ ଗ୍ୟାସ ବର୍ଣ୍ଣରରେ ବାଡ଼େଇ ହୋଇଯାଇଥିଲା । ପରିବାର ଲୋକ ତାଙ୍କୁ ତୁରନ୍ତ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତ କରିଥିଲେ । ସେଠାରେ ବର୍ଣ୍ଣ ୟୁନିଟ୍ ନ ଥିବାରୁ ଏସସିବି ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ତେବେ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲର ବର୍ଣ୍ଣ ୟୁନିଟରେ ହାଡ଼ୁଙ୍କୁ ଭର୍ତ୍ତି କରାଯାଇଛି ।
ପରିବାରର ଲୋକଙ୍କ ମୁତାବକ, ତାଙ୍କ ଶରୀର ପ୍ରାୟ ୨୮% ପୋଡ଼ି ଯାଇଛି । ଆଖିର ଉପର ପାର୍ଶ୍ୱ ଏବଂ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିବାବେଳେ ବର୍ତ୍ତମାନ ସେ ବିପଦମୁକ୍ତ ଥିବା ସମ୍ପର୍କୀୟ କହିଛନ୍ତି ।
ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ ଓରଫ୍ ହାଡ଼ୁ ରାଜ୍ୟ ସମବାୟ ବିଭାଗରେ କିରାଣୀ ଭାବରେ କାର୍ଯ୍ୟରତ ଅଛନ୍ତି । ହାଡ଼ୁ ତାଙ୍କର ହାସ୍ୟ ଅଭିନୟ ପାଇଁ ବେଶ ପରିଚିତ । ଅନେକ ଓଡ଼ିଆ ଧାରାବାହିକ, ଚଳଚ୍ଚିତ୍ର ଏବଂ ମଞ୍ଚ ନାଟକରେ ତାଙ୍କର ନିଖୁଣ ଅଭିନୟ ଦେଖିବାକୁ ମିଳିଛି ।