ବାତ୍ୟା ମୁକାବିଲା ସଫଳ ହୋଇଛି, ସନ୍ଧ୍ୟା ସୁଦ୍ଧା ରାସ୍ତା ସଫା ଏବଂ ବିଦ୍ୟୁତ ସେବା ସ୍ୱାଭାବିକ ହେବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଅଧ ରାତ୍ରିରେ ଓଡ଼ିଶା ଉପକୂଳରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ ଦାନା । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ୧୦୦ ରୁ ୧୨୦ କିମି ବେଗରେ ବହିଛି ପବନ । ବାତ୍ୟା ପରେ ରେଡ୍ ଆଲର୍ଟରେ ଥିବା ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ଏବଂ ପବନ ଲାଗି ରହିଛି । କିନ୍ତୁ ବାତ୍ୟାକୁ ସଫଳତାର ସହିତ ସାମ୍ନା କରିଛନ୍ତି ରାଜ୍ୟବାସୀ । ସରକାରଙ୍କ ଫୋକସରେ ଥିବା ଜିରୋ କାଜୁଆଲଟି ମିଶନ ମଧ୍ୟ ସଫଳ ହୋଇଛି । ବାତ୍ୟା ପରେ ଶୁକ୍ରବାର ସକାଳୁ ସକାଳୁ ଏସ୍ଆରସିଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ରାତି ତମାମ ବାତ୍ୟା ସ୍ଥିତି ଉପରେ ନଜର ରଖିବା ସହିତ ଶୁକ୍ରବାର ସକାଳୁ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ କାର୍ଯ୍ୟାଳୟରେ ଉଚ୍ଚ ଅଧିକାରୀଙ୍କ ସହିତ ସମୀକ୍ଷା କରିଛନ୍ତି । ବାତ୍ୟାର ତୁରନ୍ତ ପରେ ଆସିଥିବା ରିପୋର୍ଟର ତଦାରଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ଦାନା ଭିତରକନିକା ଏବଂ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁଚି । ବାତ୍ୟା ଦାନାକୁ ସଫଳତାର ସହିତ ମୁକାବିଲା କରାଯାଇଛି । ସକାଳ ସୁଦ୍ଧା ଆସିଥିବା ରିପୋର୍ଟ ଆଧାରରେ ବାତ୍ୟାରେ କୌଣସି ଜୀବନ ହାନି ହୋଇ ନ ଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନର ଉପଯୁକ୍ତ ପଦକ୍ଷେପ ଯୋଗୁଁ ଏହା ସଫଳତାର ସହିତ ମୁକାବିଲା କରାଯାଇଛି । ଯେଉଁ ସ୍ଥାନରେ ପବନରେ ଗଛ ଉପୁଡ଼ିଛି କିମ୍ବା ଭାଙ୍ଗିଛି ସେଠାରେ ରାସ୍ତା ସଫା ଆରମ୍ଭ ହୋଇଯାଇଛି । ଅପରାହ୍ନ ୧ଟା ସୁଦ୍ଧା ସମ୍ପୂର୍ଣ୍ଣ ସଫା କରାଯିବ । ରାସ୍ତା ସଫା ପରେ ସନ୍ଧ୍ୟା ୬ଟା ସୁଦ୍ଧା ବିଦ୍ୟୁତ ସରବରାହ ସ୍ୱାଭାବିକ ହୋଇଯିବ ବୋଲି ଆଶା ରଖାଯାଇଛି । ସେହିପରି ସକାଳ ୯ଟାରୁ ବିମାନ ଚଳାଚଳ ସ୍ୱାଭାବିକ ହୋଇଛି । ମହାପ୍ରଭୁଙ୍କ କୃପାରୁ ଏହା ସଫଳ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସମସ୍ତ ଉଦ୍ଧାରକାରୀ ଦଳ ବାତ୍ୟା ପରେ ତୁରନ୍ତ ସମସ୍ତ କାର୍ଯ୍ୟର ପୁନରୁଦ୍ଧାର କାମ ଆରମ୍ଭ କରିଦେଇଛନ୍ତି ।
ତେବେ ବାତ୍ୟା ଦାନାର ଗତିରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଲ୍ୟାଣ୍ଡ ଫଲ୍ ପରେ କେନ୍ଦୁଝରରୁ ଝାଡ଼ଖଣ୍ଡ ଯିବା ପରିବର୍ତ୍ତେ କେନ୍ଦୁଝର ଆନନ୍ଦପୁର ଦେଇ ଯାଜପୁର ଏବଂ ଅନୁଗୁଳ ମୁହାଁ ହୋଇଛି । କିନ୍ତୁ ସେଠାରେ ପହଁଚିବା ପରେ ବାତ୍ୟା ଦୁର୍ବଳ ହୋଇଯାଇଥିବ, ତେଣୁ ବର୍ଷାର ପରିମାଣ ଏବଂ ପବନର ବେଗ କମିଥିବ ।
ଅନ୍ୟପକ୍ଷରେ ସମସ୍ତ ମନ୍ତ୍ରୀମାନେ ବାତ୍ୟା ପ୍ରପୀଡ଼ିତ ଜିଲ୍ଲାରେ ଉପସ୍ଥିତି ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । କେନ୍ଦ୍ରାପଡ଼ାରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଭଦ୍ରକରେ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ତଦାରଖ କରୁଛନ୍ତି ।
ଶେଷରେ ଆଶା କର୍ମୀଙ୍କଠାରୁ ଆରମ୍ଭ କରି ଗଣମାଧ୍ୟମ, ମନ୍ତ୍ରୀ, ଅଧିକାରୀ, ଉଦ୍ଧାରକାରୀ ଦଳଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ । ଆଜିର ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ ।