ଭୁବନେଶ୍ୱର: ସର୍ବ ଭାରତୀୟ ସିଭିଲ ସର୍ଭିସ୍ ପରୀକ୍ଷା (UPSC)ରେ ଅଲ୍ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଛନ୍ତି କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର ସାତ୍ତ୍ୱିକ ସତ୍ୟକାମ ଦେବତା। ଆଜି ସେ ନିଜ ମାତାପିତା ସହ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାତ୍ତ୍ୱିକଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏଭଳି ସଫଳତା ରାଜ୍ୟ, ବିଶେଷକରି କେନ୍ଦୁଝର ଜିଲାର ଅନ୍ୟ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ହେବ।
ମୁଖ୍ୟମନ୍ତ୍ରୀ ସାତ୍ତ୍ୱିକଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ,"ଲୋକଙ୍କ ସେବା କରିବା ହିଁ ପ୍ରଶାସନିକ ସେବାର ମୂଳ ଲକ୍ଷ୍ୟ"। ଦେଶ ଓ ସମାଜର ଉନ୍ନତି ପାଇଁ ନିଷ୍ଠାର ସହିତ କାମ କରିବାକୁ ମୁଖ୍ୟମନ୍ତ୍ରୀ ସାତ୍ତ୍ୱିକଙ୍କୁ ପରାମର୍ଶ ଦେଇଥିଲେ।
ସାତ୍ତ୍ୱିକ ସତ୍ୟକାମ ଦେବତା କେଉଁଝର ଜିଲ୍ଲାର ହାଟାଡିହି ବ୍ଲକର ମୂଳ ବାସିନ୍ଦା ଏବଂ ସେ ଭୁବନେଶ୍ୱରର ଓଡ଼ିଶା ପ୍ରଯୁକ୍ତିବିଦ୍ୟା ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ (OUTR)ରୁ ମେକାନିକାଲ୍ ଇଞ୍ଜିନିୟରିଂରେ ବି.ଟେକ୍ ଡିଗ୍ରୀ ହାସଲ କରିଛନ୍ତି। ଜଣେ ଅବସରପ୍ରାପ୍ତ ବ୍ୟୁରୋକ୍ରାଟଙ୍କ ପୁଅ ଏବଂ ସେ ପୂର୍ବରୁ ନାବାର୍ଡରେ ସହାୟକ ପରିଚାଳକ ଭାବରେ କାର୍ଯ୍ୟ କରୁଥିଲେ। ସେ ତାଙ୍କର ଷଷ୍ଠ ପ୍ରୟାସରେ UPSC ଦ୍ୱାରା ପରିଚାଳିତ ସିଭିଲ ସର୍ଭିସେସ୍ ପରୀକ୍ଷା ପାସ୍ କରିଛନ୍ତି।