ମୟୁରଭଞ୍ଜ: ଗଞ୍ଜେଇ ଚାଲାଣର ନୂଆ ତରିକା । କୋବିର ଚାହିଦା ସମୟରେ କୋବିକୁ ଢାଲ କରି ହେଉଥିଲା ଗଞ୍ଜେଇ ଚାଲାଣ ଆଉ ଗଞ୍ଜେଇ ଗାଡିକୁ ସୁରକ୍ଷା ଦେଉଥିଲା ଏକ ସ୍କର୍ପିଓ ଗାଡି । ରାତି ତମାମ ଗାଡିକୁ ଫଲୋ କରିବା ପରେ ଶେଷରେ ଏନସିବିର ସ୍ପେସିଆଲ ସ୍କ୍ୱାର୍ଡ କପ୍ତିପଦା ଥାନା ନୂଆସାହି ଭରଡାଛକ ନିକଟରେ ଗାଡିକୁ ଅଟକ ରଖିବା ସହ ୨୩ ବସ୍ତା ଗଞ୍ଜେଇ ଜବତ କରିଛି ।
ସୂଚନା ଅନୁସାରେ କେଉଁଝର ଅଞ୍ଚଳରୁ ଏକ ପିକଅପରେ ତଳେ ଗଞ୍ଜେଇ ବସ୍ତା ରଖିବା ସହିତ ଉପରେ କୋବି ରଖି କେଉଁଝରରୁ କପ୍ତିପଦା ହୋଇ ବାରିପଦାକୁ ଚୋରା ଚାଲାଣ କରୁଥିଲେ ଗଞ୍ଜେଇ ମାଫିଆ। ଏନେଇ ଖବର ପାଇ କପ୍ତିପଦା ନୂଆସାହି ଭରଡା ଛକ ନିକଟରେ ଏନସିବି ଟିମ ଗାଡ଼ିଟିକୁ ଜବତ କରିଥିଲା । ଏହା ସହିତ ଗଞ୍ଜେଇ ଗାଡିକୁ ସୁରକ୍ଷା ଦେଉଥିବା ଏକ ସ୍କର୍ପିଓ କୁ ମଧ୍ୟ ଏନସିବି ଅଟକାଇ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଘଟଣା ସ୍ଥଳରୁ ଦୁଇ ଜଣ ଗଞ୍ଜେଇ ମାଫିଆ ଖସି ଯାଇଥିବା କୁହାଯାଉଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧ କୋଟି ରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି ।