ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ନିର୍ମାଣାଧିନ ଜାମୁଘାଟ ପୋଲରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ୩ ଜୀବନ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ବାଲେଶ୍ବର ଆଡୁ ଏକ କାର୍ ଦ୍ରୁତ ଗତିରେ ଆସି ଉଦଳା ଥାନା ନିର୍ମାଣାଧିନ ଜାମୁଘାଟ ପୋଲ ନିକଟରେ ଭାରସାମ୍ୟ ହରାଇ ମାଟି ଗଦା ଉପରେ ଚଢ଼ିଯାଇଥିଲା । ଏହା ପରେ କାର୍ ଟି ପ୍ରାୟ ୧୦ ଫୁଟ୍ ଉପରକୁ ଉଡ଼ି ଜେସିବି ଉପରେ ଝୁଲି ରହିଥିଲା । ଫଳରେ କାର୍ ଟି ନଦୀକୁ ଖସିବା ପୂର୍ବରୁ ବର୍ତ୍ତି ଯାଇଛି । ଏନେଇ ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚି ଝୁଲନ୍ତା କାରରୁ ୩ ଜଣକୁ ଉଦ୍ଧାର କରିଥିଲେ । ସୋଭାଗ୍ୟବଶତଃ ୩ ଜଣଙ୍କର କୌଣସି କିଛି କ୍ଷତି ହୋଇନାହିଁ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।
ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି । ଗାଡିଟି ପଶ୍ଚିମବଙ୍ଗର ବୋଲି ଜଣାପଡିଛି । କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ଅସ୍ପଷ୍ଟ ରହିଛି ।