ଭୁୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ରାଜନୀତି ଜୋର ଧରିଛି । ଏହି ଘଟଣାକୁ ନେଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି । ଏଥିପାଇଁ ଦୁଇ ଦଳ ଆଜି ରାଜଧାନୀର ରାଜରାସ୍ତାକୁ ଓହ୍ଲାଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଜେଡି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବାକୁ ଚେଷ୍ଟା କରିଥିବା ବେଳେ କଂଗ୍ରେସ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲା ।
ରବିବାର ବାଲେଶ୍ୱର ଘଟଣା ପ୍ରତିବାଦରେ ଛାତ୍ର ଓ ଯୁବ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି । ଏଥିରେ ବିଧାୟକ ବ୍ୟୋମକେଶ ରାୟ, ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ସାମିଲ । ଘେରାଉ ଉଦ୍ୟମ ବେଳେ ଶତାଧିକ ବିଜେଡି କର୍ମୀଙ୍କୁ ପୋଲିସ ଉଠାଇ ନେଇଛି । ଅନ୍ୟପଟେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବାସଭବନ ଘେରିଛି ଛାତ୍ର କଂଗ୍ରେସ । ଏଥିସହ ଘଟଣାକୁ ନେଇ ନାରାବାଜି କରିଛି । ଏହି ସମୟରେ ଦୁଇଟି ସ୍ଥାନରେ ପୋଲିସ ସହ ବିଜେଡି ଓ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଛି । ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାରେ ସଫଳ ହୋଇଛି ।
ଅନ୍ୟପଟେ ଏହି ଘଟଣାରେ ରାଜ୍ୟ ସରକାରଙ୍କ ଟାର୍ଗେଟ୍ କରିଛନ୍ତି ପିିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି, ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଉଛି । ଠିକ ଢଙ୍ଗରେ ଘଟଣାର ତଦନ୍ତ କରାଯିବାର ଆବଶ୍ୟକତା ରହିଛି । ମହିଳା କଂଗ୍ରେସ ଆସନ୍ତାକାଲି ବାଲେଶ୍ୱର ଏଫଏମ କଲେଜ ଯିବ । ଛାତ୍ରୀ କାହିଁକି ଆତ୍ମାହୁତି ଉଦ୍ୟମ କଲା, ସମସ୍ତଙ୍କୁ ସେ ଅବଗତ କରିଥିଲା । କାହିଁକି ଛାତ୍ରୀଙ୍କ ଅଭିଯୋଗକୁ ହାଲୁକା ଭାବେ ନିଆଗଲା ବୋଲି ଭକ୍ତ ଦାସ ପ୍ରଶ୍ନ କରିଛନ୍ତି । ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ସୂଚନାଯୋଗ୍ୟ, କଲେଜର ଏଚଓଡିଙ୍କ ମାନସିକ ନିର୍ଯାତନା ସହି ନ ପାରି ଶନିବାର ବାଲେଶ୍ବର ଫକୀରମୋହନ କଲେଜରେ ଛାତ୍ରୀ ଜଣକ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ପରେ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି। ଛାତ୍ରୀଙ୍କ ଶରୀର ପ୍ରାୟ ୯୦ ଭାଗ ଜଳିଯାଇଥିବା ଜଣାପଡ଼ିଛି।
ପୀଡ଼ିତ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଏମ୍ସର ବର୍ଣ୍ଣ ୟୁନିଟରେ ୧୨ ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି । ଅନ୍ୟପଟେ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନେ ବାଲେଶ୍ୱର ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି ।
ତଦନ୍ତ ପାଇଁ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଜଣେ ଉଚ୍ଚସ୍ତରୀୟ ମହିଳା ଯୁଗ୍ମ ସଚିବ ଅଧିକାରୀ, ବରିଷ୍ଠ ସିନିୟର୍ ଏକାଡେମୀସିଆନ, ଅନ୍ୟ କଲେଜର ମହିଳା ଅଧ୍ୟକ୍ଷାଙ୍କୁ ନେଇ ଏକ କଲେଜର କମିଟି ଗଠନ କରାଯାଇଛି । କମିଟି ରିପୋର୍ଟ ଆସିବା ପରେ କଠୋରରୁ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭବିଷ୍ୟତରେ ଆଉ ଏପରି କେହି କରିବାକୁ ସାହାସ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ।