ନୂଆଦିଲ୍ଲୀ: କଂଗ୍ରେସର ଜଣେ ବିଧାୟକ ନୀତିନ ଗଡକରୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଦାବି କରିଛନ୍ତି । ସେ ଏଥିପାଇଁ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ଅବସର ବୟାନକୁ ଉଲ୍ଲେଖ କରିଛନ୍ତି । କଂଗ୍ରେସ ବିଧାୟକ ଆରଏସଏସ ପ୍ରମୁଖଙ୍କ ବୟାନକୁ ସ୍ୱାଗତ କରି କହିଛନ୍ତି, ଯଦି ତାଙ୍କ ହିସାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଦରୁ ଅବସର ନେଉଛନ୍ତି, ତେବେ ତାଙ୍କ ସ୍ଥାନରେ ଗଡକରୀଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ଉଚିତ୍ । ଗଡକରୀ ଏହି ପଦ ପାଇଁ ସର୍ବୋତ୍କୃଷ୍ଠ ବ୍ୟକ୍ତି ।
ଉଲ୍ଲେଖନୀୟ ନିକଟରେ ମୋହନ ଭାଗବତ କହିଥିଲେ ଯେ, ୭୫ ବର୍ଷ ପୂରା ହେବା ପରେ ନେତାଙ୍କୁ କ୍ଷମତାରୁ ଇସ୍ତଫା ଦେବା ଉଚିତ୍ । ଏହା ପରେ କଂଗ୍ରେସ ଟାର୍ଗେଟ୍ କରି କହିଥିଲା ଯେ, ମୋହନ ଭାଗବତଙ୍କ ଇସାରା ପିଏମ ମୋଦୀଙ୍କ ଉପରେ ଥିଲା । ଆଉ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୭୫ ବର୍ଷ ବୟସ ହେବାକୁ ଯାଉଛି ।
କଂଗ୍ରେସ ବିଧାୟକ ବେଲୁର ଗୋପାଳକୃଷ୍ଣ କର୍ଣ୍ଣାଟକର ସାଗର ବିଧାନସଭାରୁ ବିଧାୟକ ଅଟନ୍ତି । ସେ କହିଛନ୍ତି ଗଡକରୀ ଦେଶର ଗରିବ ଲୋକଙ୍କ ଅଧିକ ଚିନ୍ତା କରନ୍ତି । ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ କଂଗ୍ରେସ ବିଧାୟକ କହିଛନ୍ତି, ବିଜେପି ୭୫ ବର୍ଷ ବୟସ ହେବାରୁ ବିଏସ ୟେଦିୟୁରପ୍ପାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା । ୟେଦିୟୁରପ୍ପାଙ୍କ ଆଖିରେ ଲୁହ ଭରି ଯାଇଥିଲା । ଏବେ ବିଜେପିକୁ ଆରଏସଏସ ମୁଖ୍ୟଙ୍କ ବୟାନକୁ ସ୍ୱାଗତ କରିବା ଉଚିତ୍ । ଏହି ଫର୍ମୁଲା ପ୍ରଧାନମନ୍ତ୍ରୀ ପଦରେ ମଧ୍ୟ ଲାଗୁ ହେବା ଉଚିତ୍ ।
ସେ ଏହା ମଧ୍ୟ କହିଛନ୍ତି ଯେ, ଦେଶରେ ଗରିବ ଲୋକଙ୍କ ସଂଖ୍ୟା ବଢୁଥିବା ବେଳେ ଧନୀ ବ୍ୟକ୍ତି ଆହୁରି ଧନୀ ହେବାରେ ଲାଗିଛି । ଦେଶର ଧନ କିଛି ମୁଷ୍ଟିମେୟ ଲୋକଙ୍କ ହାତକୁ ଯାଉଛି । ଏସବୁକୁ ଦେଖିଲେ ଗଡକରୀ ପିଏମ ମୋଦୀ ପାଇଁ ସବୁଠୁ ଯୋଗ୍ୟ । ବିଜେପି ହାଇକମାଣ୍ଡଙ୍କୁ ଏହି ବିଷୟରେ ଚିନ୍ତା କରିବା ଉଚିତ୍ ।