ବାଲେଶ୍ବର: ଗତକାଲି ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟରେ କଲେଜ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ ଘଟଣା ସବୁଠି ଚାଞ୍ଚଲ୍ୟ ଖେଳାଇଦେଇଛି । ପୀତିଡ଼ାଙ୍କୁ ଏମ୍ସର ବର୍ଣ୍ଣ ୱାର୍ଡରେ ରଖାଯାଇଛି । ପୀତିଡ଼ା ଜଣଙ୍କ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ।
ଏହି ଘଟଣାରେ AIIMS ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ପ୍ରତିକ୍ରିୟାରେ କହିଛନ୍ତି ଯେ, " ପୀତିଡ଼ାଙ୍କୁ ICU ଭେଣ୍ଟିଲେଟର୍ରେ ରଖାଯାଇଛି । ୯୫%ରୁ ଅଧିକ ପୋଡ଼ିଛି, ସ୍ଥିତିରେ କିଛି ସୁଧାର ଆସିନି । ଇଣ୍ଟରନାଲ୍ ଆଘାତ ହୋଇଛି, କିଡ୍ନୀ ପ୍ରଭାବିତ ହୋଇଛି । ଆଗାମୀ ୨୪ରୁ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । ସ୍ଥିତିରେ ସୁଧାର ଆଣିବା ପାଇଁ ବିଭିନ୍ନ ବିଭାଗର ଡାକ୍ତର ଚିକିତ୍ସାରେ ଲାଗିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ସ୍ଥିତିରେ କୌଣସି ସୁଧାର ଆସିନାହିଁ "।
ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ ପରେ ଘଟଣାକୁ ଗୁରୁତର ସହିତ ନେଇଛନ୍ତି ରାଜ୍ୟ ସରକାର। ଅଭିଯୋଗ ଆଉ ଘଟିଥିବା ଘଟଣା ଉଭୟକୁ ଅନୁଧ୍ୟାନ କରି କଲେଜର ଅଧ୍ୟାପକ ଓ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରାଯାଇଛି। କେବଳ ସେତିକି ନୁହେଁ ଅଭିଯୋଗ ଥିବା ଅଧ୍ୟାପକଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି। ଗୁରୁତର ଥିବା ଛାତ୍ରୀଙ୍କୁ ପ୍ରଥମେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଅଧ୍ୟାପକ ଛାତ୍ରୀ ଜଣକୁ ମାନସିକ ସ୍ତରରେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଜଣେ ଯୁଗ୍ମ ସଚିବ ରାଙ୍କର ମହିଳା ଅଧିକାରୀ, ଜଣେ ବରିଷ୍ଠ କଲେଜ ଅଧ୍ୟକ୍ଷାଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । କମିଟି ରିପୋର୍ଟ ଦେବା ପରେ କଠୋରରୁ କଠୋର ପଦକ୍ଷେପ ନିଆଯିବ।